ସନଷ୍ଟାର ଟିଭି ବ୍ୟୁରୋ
ବାଲିଆପାଳ: ନିଶା ବେପାରୀ ଙ୍କୁ ସାବାଡ କରିବା ପାଇଁ ଆକ୍ସନ ମୁଡ୍ ରେ ବାଲେଶ୍ବର ପୋଲିସ | ଗତକାଲି ବିଳମ୍ବିତ ରାତିରେ ଜଳେଶ୍ବର ଏସ ଡି ପି ଓ ଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବର ଥାନା ଅନ୍ତର୍ଗତ କୃଷ୍ଣ ନଗର ନିକଟରେ ଚଢ଼ାଉ କରି କୁଖ୍ଯାତ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ୨୭୫ ଗ୍ରାମର ବ୍ରାଉନସୁଗାର ସମେତ ନଗଦ ଏକ ଲକ୍ଷ ୨୩ ହଜାର ୬୦୦ ଟଙ୍କା ଜବତ କରିଛି ପୋଲିସ | ଏହା ସହ ଗୋଟିଏ ବାଜାଜ ପଲସର ବାଇକ ଜବଦ ହୋଇଛି | ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀର ଘର ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ବୋଲି ଜଣା ପଡିଛି | ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ଯ ୨୭ ଲକ୍ଷ ଟଙ୍କା ହେବ ବୋଲି ଜଳେଶ୍ଵର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ବର ଏସ ପି ସାଗରିକା ନାଥ |
ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଓଡିଶାର ବିଭିନ୍ନ ସ୍ଥାନକୁ ସପ୍ଲାଏ କରୁଥିବା ନେଇ ସୂଚନା ମିଳିଛି | ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ 5 ଟି କେସ ଥିବା ନେଇ ଜଣା ପଡିଛି | ଗତକାଲି ବାଇକରେ ବ୍ରାଉନସୁଗାର ନେଇ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ କୃଷ୍ଣ ନଗର ନିକଟରେ ଚଢ଼ାଉ କରି ବ୍ରାଉନସୁଗାର ଜବଦ କରିଥିଲା | ଏହାସହ ଗୋଟିଏ ମୋବାଇଲ , ବ୍ଯାଙ୍କ ପାସବୁକ , ଏଟିଏମ କାର୍ଡ , ପାନକାର୍ଡ ଜବଦ କରିଛି ପୋଲିସ | ଆଗାମୀ ଦିନରେ ବ୍ରାଉନସୁଗାର କାରବାରର ମୂଳତ୍ପାଟନ ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ଏସ ପି ସାଗରିକା ନାଥ |
ରିପୋର୍ଟ: ଚନ୍ଦନ ଜେନା