ସନଷ୍ଟାର ଟିଭି ବ୍ୟୁରୋ
ଶ୍ରୀନଗର : ଦେଶରେ କରୋନା ସ୍ଥିତି ଟିକିଏ ସୁଧୁରିବାରେ ଲାଗିଛି। ପୂର୍ବ ସ୍ଥିତି ତୁଳନାରେ ଏବେ କାଶ୍ମୀର ଉପତ୍ୟକାର ସ୍ଥିତିରେ ପରିବର୍ତ୍ତନ ଘଟିଥିଲା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷକରି ପ୍ରସିଦ୍ଧ ଡାଲ ହ୍ରଦକୁ ପର୍ଯ୍ୟଟକଙ୍କ ଆଗମନ ବଢିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଶ୍ରୀନଗରର ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ହାଉସ ବୋଟରେ ଭାସମାନ ଏଟିଏମ୍ ସେବା ଆରମ୍ଭ କରାଯାଇଛି । ଏହି ବ୍ୟବସ୍ଥାକୁ ଏସବିଆଇ ଅଧ୍ୟକ୍ଷ ଦୀନେଶ ଖେର ଉଦଘାଟନ କରିଛନ୍ତି । ପ୍ରସିଦ୍ଧ ଡାଲ ହ୍ରଦରେ ଏହି ଭାସମାନ ଏଟିଏମ୍ ଦୀର୍ଘ ଦିନର ଆବଶ୍ୟକତା ପୂରଣ କରିବ ବୋଲି ଏସବିଆଇ ଆଶା ପ୍ରକଟ କରିଛି । ଏହାପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୪ ମସିହାରେ ପ୍ରଥମ ଥର ପାଇଁ କେରଳରେ ଭାସମାନ ଏଟିଏମ୍ ବ୍ୟବସ୍ଥା ଆରମ୍ଭ କରିଥିଲା ।