ସନଷ୍ଟାର ଟିଭି ବ୍ୟୁରୋ
ଅଗରତାଲା: ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଦେଉଛି ତ୍ରିପୁରା | ସକାଳ ୭ ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା | ମୋଟ ୬୦ ଆସନ ପାଇଁ ୩ ହଜାର ୩୨୮ ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା | ସେଥି ମଧ୍ୟରୁ ୧୧୦୦ ବୁଥକୁ ସମ୍ବେଦନଶୀଳ ଓ ୨୮ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀନ ଘୋଷଣା କରାଯାଇଛି | ତ୍ରିପୁରାର ୨୮ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ |
ଏଥର ତ୍ରିପୁରାରେ ଚାଲିଛି ତ୍ରିମୁଖୀ ଲଢେଇ | ବିଜେପି ଓ ଆଇପିଏଫଟି, କଂଗ୍ରେସ ଓ ବାମ ଦଳ ମେଣ୍ଟ ସହ ଆଞ୍ଚଳିକ ଦଳ ଟିପରା ମୋଥା ମଧ୍ୟରେ କଡା ଟକ୍କର ଚାଲିଛି | ଅଗରତାଲା ଆସନରେ ଶାସକ ‘ବିଜେପି’ର ପ୍ରାର୍ଥିନୀ ପପିୟା ଦତ୍ତ କଂଗ୍ରେସ ପ୍ରାର୍ଥୀ ସୁଦୀପ୍ତ ରାୟ ବର୍ମନ୍ଙ୍କ ସହିତ ନିର୍ବାଚନ ଲଢୁଛନ୍ତି |
ସୂଚନା ଅନୁଯାୟୀ , ମୋଟ ୬୦ ଟି ଆସନରୁ ବିଜେପି ପ୍ରାର୍ଥୀ ୫୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଥିବାବେଳେ , ବିଜେପି ସହ ମେଣ୍ଟରେ ଥିବା ଆଇପିଏଫଟି ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି | ସେହିପରି କଂଗ୍ରେସ ମଧ୍ୟ ୧୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ, ମେଣ୍ଟରେ ଥିବା ସିପିଆଇ, ଆରଏସପି ୪୭ଟି ପ୍ରତିଦ୍ୱନ୍ଦ୍ୱିତା କରୁଛି | ଏହାସହ ଆଞ୍ଚଳିକ ଦଳ ଟିପରା ମୋଥା ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି |
ତେବେ ମାର୍ଚ୍ଚ ୨ ତାରିଖରେ ପ୍ରକାଶ ପାଇବ ତ୍ରିପୁରା ବିଧାନସଭା ଭୋଟ ଫଳାଫଳ | କାହାକୁ ମିଳିବ ତ୍ରିପୁରା ଆସନ ତାହା ଦେଖିବାକୁ ବାକି ରହିଲା |
ରିପୋର୍ଟ: ଦୀପା ପ୍ରଧାନ