ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ସ୍ପାଇସଜେଟକୁ ସରକାରଙ୍କ ନୋଟିସ୍ । ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପାଇଁ ଦୁଃଘଟଣାର ସମ୍ମୁଖୀନ ହେଉଛି ସ୍ପାଇସଜେଟ । ତେବେ ଗତକାଲି ସରକାରଙ୍କ ତରଫରୁ ସ୍ପାଇସଜେଟ କୁ ଏକ ନୋଟିସ୍ ପଠାଯାଇଛି । ଜେଟ୍ରେ ରହିଥିବା ସମସ୍ତ ଯାନ୍ତିକ ତ୍ରୁଟିକୁ ସଠିକ୍ ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଭଳି କାହିଁକି ଘଟୁଛି ସେ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ସରକାର ।
ସୂଚନାମୁତାବକ, ସ୍ପାଇସଜେଟ୍ କମ୍ପାନୀର ଜାହାଜକୁ ଏମଇଏଲ କିମ୍ବା ସର୍ବନିମ୍ନ ଯନ୍ତ୍ରପାତିରେ ଚଳାଯାଉଛି । ଯାହାଦ୍ୱାରା ବାରମ୍ବାର ଜାହାଜଗୁଡିକ ଦୁଃଘଟଣାର ସମ୍ମୁଖୀନ ହେଉଛି । ତେବେ ଗତ ସୋମବାର ଦିନ ସ୍ପାଇସଜେଟ କାର୍ଗୋ ବିମାନ ଚାଇନାକୁ ଉଡାଣ ଭରିଥିଲା । କିଛି ବାଟ ଯିବା ପରେ କାର୍ଗୋର ପାଣିପାଗ ରାର୍ଡର ଅଚଳ ହୋଇ ପଡିଥିଲା । ଯାହା ଫଳରେ ବିମାନଟି ଅଧାବାଟରୁ କୋଲକାତା ଫେରି ଆସିଥିଲା । ତେବେ ଏଥରକୁ ମିଶାଇ ସ୍ପାଇସଜେଟ୍ କମ୍ପାନୀର ଜାହାଜଗୁଡକ ଗତ ୧୮ ଦିନ ଭିତରେ ପ୍ରାୟ ୮ ଥର ଏଭଳି ଦୁଃଘଟଣାର ସମ୍ମୁଖୀନ ହୋଇଛି ବୋଲି ସୂଚନା ରହିଛି । ତେବେ ଏଭଳି ଭାବେ ବାରମ୍ବାର ଘଟିବା ହେତୁ ଜେଟରେ ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧ୍ୟା ମଧ୍ୟ ଡିଜିସିଏ ନୋଟିସର ଏକ କପି ଟ୍ୱିଟ କରିଛନ୍ତି । ଯାତ୍ରୀ ସୁରକ୍ଷା “ସର୍ବପ୍ରଥମ” ବୋଲି ସିନ୍ଧ୍ୟା ଟ୍ୱିଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଧା ଦେଉଥିବା ଛୋଟ ଛୋଟ ତ୍ରୁଟିର ପକ୍ଷାନୁପଙ୍ଖ ଯାଞ୍ଚ ହେବା ଆବଶ୍ୟକ । (ରିପୋର୍ଟ:ସୋନାଲି)