ସନଷ୍ଟାର ଟିଭି ବ୍ୟୁରୋ

ଟୋକିଓ: ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଉଦଘାଟନୀ ଉତ୍ସବ ପାଇଁ ଭାରତରୁ ମାତ୍ର ୬ ଜଣ ଅଫିସିଆଲଙ୍କୁ ଅନୁମତି ମିଳିଥିବାବେଳେ ଆଥଲେଟମାନଙ୍କୁ କ୍ୟାପ୍ ପିନ୍ଧିବା ପାଇଁ ବାରଣ କରାଯାଇଛି। ଭାରତର ଡେପୁଟି ଚିଫ୍-ଡି-ମିସନ ପ୍ରେମ୍ କୁମାର ବର୍ମା ଏ ବିଷୟରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣକାରୀ ଭାବେସବୁ ଦେଶର ୬ ଜଣ ଲେଖାଏଁ ଅଫିସିଆଲ୍ ସାମିଲ ହୋଇପାରିବେ। ଉଦଘାଟନୀ ଉତ୍ସବର ପରଦିନ ଯେଉଁ ଆଥଲେଟମାନଙ୍କର କ୍ରୀଡ଼ାସୂଚୀ ରହିଛି, ସେମାନଙ୍କୁ ଆମେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛୁ। ଉଦଘାଟନୀ ଉତ୍ସବ ଅର୍ଦ୍ଧ ରାତି ଯାଏଁ ଜାରି ରହିବ। ପରଦିନ କ୍ରୀଡ଼ାସୂଚୀ ଥିବା ଆଥଲେଟମାନେ ଏଥିରୁ ଦୂରେଇ ରହିବା ସେମାନଙ୍କ ପକ୍ଷେ ଭଲ ବୋଲି ସୂଚନା ଦିଆଯାଇଛି ।’ ଟୋକିଓ ଅଲିମ୍ପିକ୍ସ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ୨୪ ତାରିଖରୁ ସୁଟିଂ, ବକ୍ସିଂ, ତୀରନ୍ଦାଜୀ, ହକି (ପୁରୁଷ ଓ ମହିଳା) ଆଦିର କ୍ରୀଡ଼ାସୂଚୀ ରହିଛି।
ସୂଚନାଯୋଗ୍ୟ ଯେ, ଟୋକିଓ କ୍ରୀଡ଼ାରେ ଭାରତରୁ ୨୨୮ (୧୨୭ ଆଥଲେଟ୍) ଜଣିକିଆ ଦଳ ଭାଗ ନେବ। ୬ ଥର ବିଶ୍ୱ ଚାମ୍ପିଅନ୍ ଏମସି ମେରୀ କମ୍ ଓ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଉଦଘାଟନୀ ଉତ୍ସବ ପାଇଁ ଭାରତୀୟ ଦଳର ଧ୍ୱଜା ବାହାକ ଭାବେ ମନୋନୀତ ହୋଇଛନ୍ତି।