ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏକ୍ସିଟ୍ରିମଲି ସିଭିୟର ସାଇକ୍ଲୋନରୁ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ବାତ୍ୟା ତାଉତେ । ଗୁଜରାଟରେ ଲ୍ୟାଣ୍ଡ୍ଫଲ୍ ପରେ କ୍ରମଶ ଦୁର୍ବଳ ହୋଇ ତାଣ୍ଡବ ରଚୁଛି ତାଉତେ । ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିଲା । ଏପରିକି କିଛି କ୍ଷଣ ପାଇଁ ପବନର ବେଗ ୧୯୦ କିଲୋମିଟର ମଧ୍ୟ ଛୁଇଁଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (IMD) କହିଛି। ୨୦ ବର୍ଷରେ ଆରବ ସାଗର ଉପକୂଳରେ ଏହା ସବୁଠାରୁ ବଡ଼ ବାତ୍ୟା ବୋଲି କୁହାଯାଇଛି।
ମୁମ୍ୱାଇରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି । ପ୍ରବଳ ବର୍ଷା ସହିତ ଘଣ୍ଟାକୁ 80 ରୁ 90 କିମି ବେଗରେ ପବନ ବହିବାରେ ଲାଗିଛି । ତେବେ ସୂଚନା ଅନୁଯାୟୀ ମୁମ୍ୱାଇରେ 3 ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । । ତାଉତେ ପ୍ରଭାବରେ ଗୁଜୁରାଟରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି । ବାତ୍ୟା ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି । ଏଥିସହିତ ଗୁଜୁରାଟରେ ମଧ୍ୟ 4 ଜଣଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଜୁନାଗଡ଼, ଆମ୍ରେଲି ଏବଂ ଭବନଗର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେନା ଯବାନ ଓ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ତତ୍କ୍ଷଣାତ ଗଛ ଓ ଇଲେକ୍ଟ୍ରିକ୍ ଖୁଣ୍ଟ ସଫା କରି ରାସ୍ତା ସଜାଡ଼ିଛନ୍ତି ।