ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଲକ୍ଡାଉନ୍ । ଏହି ଲକଡାଉନ୍ କୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଲୋକ ମାନେ ଫୋନ ମାଧ୍ୟମରେ ପୋଲିସକୁ ନିଜର ଅଭିଯୋଗ ଶୁଣାଇ ପାରିବେ । ଓ ଏତଲା ଦେବା ପାଇଁ ହେଲେ ପୁଲିସ ନିଜେ ଘରକୁ ଯାଇ ଏତଲା ଆଣିବ । ଏହି ବ୍ୟବସ୍ଥା କେବଳ ୧୪ ଦିନ ପାଇଁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ଲକ୍ଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । କାହାର କୌଣସି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ। ଚୋରି, ଡକାୟତି ଆଦି ଯେ କୌଣସି ଅଘଟଣ ଘଟିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବରକୁ ଫୋନ୍ କରି ଜଣାଇବେ । ଏଥିସହ ଥାନା ଆଇଆଇସି ମାନଙ୍କ ସିୟୁଜି ନମ୍ବରରେ ମଧ୍ୟ ଅଭିଯୋଗ କରିପାରିବେ । ଆଇଆଇସି ମାନଙ୍କ ସିୟୁଜି ନମ୍ବର ଟୁଇଟର ଏବଂ ଫେସ୍ବୁକ୍ ମାଧ୍ୟମରେ ଜଣାଇ ଦିଆଯିବ । ଫୋନ୍ରେ ଅଭିଯାଗକାରୀଙ୍କ ଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ । ଏହାପରେ ଯଥାଶୀଘ୍ର ପୁଲିସ ଅଭିଯାଗକାରୀଙ୍କ ଘରେ ପହଞ୍ଚି ଏତଲା ଗ୍ରହଣ କରିବ । ତଦନ୍ତରେ କିଛି ଅବହେଳା କରାଯିବନି । ଅଭିଯୋଗକାରୀଙ୍କୁ ଏତଲାର ନକଲ ହ୍ୱାଟ୍ସଆପ୍ କିମ୍ବା ଇ-ମେଲରେ ପଠାଇ ଦିଆଯିବ ବୋଲି କହିଛନ୍ତି ଡିସିପି ଶ୍ରୀ ଦାଶ ।