ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପତିପତ୍ନୀ ସଂପର୍କକୁ ନେଇ ସୁପ୍ରିମ କୋର୍ଟ ଗତକାଲି ଏକ ରାୟ ଶୁଣାଇଛନ୍ତି । ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କର ‘ଦାସ କିମ୍ବା ସଂପତ୍ତିର ଅଂଶ’ ନୁହନ୍ତି ଯେ ତାଙ୍କୁ ସ୍ୱାମୀଙ୍କ ସହ ରହିବା ପାଇଁ ବାଧ୍ୟ କରାଯାଇ ପାରିବ କିମ୍ବା ତାଙ୍କ ସହିତ ଯିବାକୁ ନିର୍ଦ୍ଦେଶ ଦିଆଯାଇପାରିବ’ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମ୍କୋର୍ଟ ମତ ରଖିଛନ୍ତି ।
ସୂଚନା ଅନୁଯାୟୀ, ୨୦୧୩ରେ ଉତ୍ତରପ୍ରଦେଶ ଗୋରଖପୁରର ହେମନ୍ତ ଗୁପ୍ତା ତାଙ୍କ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏହାପରେ ମହିଳା ଜଣକ ରକ୍ଷଣାବେକ୍ଷଣ ପାଇଁ ଏକ ମାମଲା ରୁଜ୍ଜୁ କରିବା ପରେ ଗୋରଖପୁର କୋର୍ଟ ସ୍ୱାମୀଙ୍କୁ ମାସକୁ ୨୦ ହଜାର ଟଙ୍କାର ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ,ସ୍ୱାମୀ ହେମନ୍ତ ଭରଣପୋଷଣ ଦେବା ବଦଳରେ ପତ୍ନୀଙ୍କ ସହ ଆଉ ଥରେ ଏକାଠି ରହିବା ପାଇଁ ଗୋରଖପୁରର ଏକ ପରିବାର କୋର୍ଟରେ ଏକ ଆବେଦନ କରିଥିଲେ । ପରିବାର ଅଦାଲତ ଏହି ମାମଲାର ବିଚାର କରି ହିନ୍ଦୁ ବିବାହ ଆଇନର ଧାରା ୯ ଅନୁଯାୟୀ ହେମନ୍ତଙ୍କ ସପକ୍ଷରେ ରାୟ ଦେଇଥିଲେ । କିନ୍ତୁ ମହିଳା ଜଣକ ଏଥିରେ ରାଜି ହୋଇ ନଥିଲେ ।
ଏହାପରେ ହେମନ୍ତ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରି ତାଙ୍କ ପତ୍ନୀଙ୍କୁ ତାଙ୍କ ସହ ସହ ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ସୁପ୍ରମ୍କୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କିଶନ କୌଲ ମଙ୍ଗଳବାର ଏହି ମାମଲାର ଶୁଣାଣି କାଳରେ କହିଥିଲେ ଯେ ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ସହ ରହିବା ପାଇଁ ବାଧ୍ୟ ନୁହନ୍ତି। କୋର୍ଟ ପଚାରିଥିଲେ, ତୁମେ କ ’ଣ ଭାବୁଛ? ଜଣେ ବିବାହିତା ମହିଳା କ’ଣ ତା’ ସ୍ୱାମୀର ‘ଦାସ’ ନା ତା’ ‘ସଂପତ୍ତିର ଏକ ଅଂଶ’ ଯେ ତାଙ୍କୁ ତୁମ ସହିତ ଯିବାକୁ ନିର୍ଦ୍ଦେଶ ଦିଆଯାଇପାରିବ କି? ଯେଉଁଠି ପତ୍ନୀ ତୁମ ସହ ଯିବାକୁ ଇଚ୍ଛୁକ ନୁହନ୍ତି, ସେ କ୍ଷେତ୍ରରେ ତାଙ୍କୁ ତୁମ ସହ ଯିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ।