ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ; ହିନ୍ଦୀରେ ଏକ ଲୋକକଥା ଅଛି ‘ଦୁରୁ ଆୟେ ପର୍ ଦୁରୁସ୍ତ ଆୟେ’ । ଏହି ଲୋକକଥା କୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ କିଛିଦିନ ତଳେ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସ ଆପ୍ ର ନୂଆ ଗୋପନୀୟତା ନୀତି କୁ ନେଇ ଏହି ଆପ୍ ୟୁଜର୍ସ ଘୋରଚିନ୍ତାରେ ଥିଲେ । ହେଲେ ଶୁଣିବାକୁ ମିଳୁଛି ଯେ, ହ୍ୱାଟସ ଆପ ନିଜର ମନ ପରିବର୍ତ୍ତନ କରିଛି କାରଣ ୟୁଜର୍ସଙ୍କ ପାଖକୁ ଏମିତି କିଛି ଷ୍ଟାଟସ ପଠାଇଛି ହ୍ୱାଟସ ଆପ୍।
ସୂଚନାଅନୁସାରେ, ଲୋକଙ୍କ ନିଜସ୍ୱ ସୂଚନା ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ, ଟ୍ରାଞ୍ଜାକ୍ସନ, ଲୋକେସନ ଡିଟେକ୍ଟ ର ଡାଟା ନେବା ପାଇଁ ପଠାଯାଇଥିବା ନୋଟିଫିକେସନ କୁ ନେଇ ହ୍ୱାଟସଆପ୍ ର ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ପରେ ଅନେକ ୟୁଜର୍ସ ନିଜର ପ୍ରାଇଭେସି ନିଜ ନିୟନ୍ତ୍ରଣରେ ରଖିବାକୁ ଅନ୍ୟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଓ ସିଗନାଲ ପରି ଆପ୍ ସହ ଯୋଡ଼ିହେଲେ । ଯାହାଫଳରେ ହ୍ୱାଟସଆପ ଏବେ ନିଜର ମନ ପରିବର୍ତ୍ତନ କରିଥିବା କୁହାଯାଉଛି।
ପ୍ରବଳ ବିରୋଧ ପରେ ଶେଷରେ ନିଜ ଡାଟା ସେୟାରିଂ ପଲିସିରୁ ପଛକୁ ହଟିଛି ଆମେରିକାନ୍ ଆପ୍ଲିକେସନ୍ ହ୍ୱାଟସଆପ୍ । ସଦ୍ୟ ସୂଚନା ମୁତାବକ ମେ’ ୧୫ ପର୍ଯ୍ୟନ୍ତ ପଲିସିରେ ଲାଗିଛି ରୋକ୍ । ଭାରତ ସମେତ ସାରା ଦୁନିଆରେ ହ୍ୱାଟସଆପକୁ କରାଯାଉଛି ତୀବ୍ର ବିରୋଧ । ଯେହେତୁ ଆମ ଦେଶ ଭାରତରେ ହ୍ୱାଟସଆପର କୋଟି କୋଟି ବ୍ୟବହାରକାରୀ ଅଛନ୍ତି, ତେଣୁ ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁନାହିଁ ଏହି ସଂସ୍ଥା। ଫଳରେ ନିଜ ଗୋପନୀୟତା ଡାଟା କୁ ସୁରକ୍ଷିତ ରଖିବା ନେଇ ଚିନ୍ତାରେ ପଡ଼ି ଯାଇଥିବା ହ୍ୱାଟସଆପ୍ ୟୁଜର୍ସ ଙ୍କ ଚିନ୍ତା ଆପାତତଃ ଟଳି ଯାଇଛି ।
ତଥାପି ଆସନ୍ତା ମେ ୧୫ରେ ଯଦି ହ୍ୱାଟସଆପ୍ ନିଜ ଡାଟା ସେୟାରିଂ ପଲିସି କୁ ନେଇ କୌଣସି ସ୍ଥାୟୀ ନିଷ୍ପତ୍ତି ନନିଏ, ତେବେ ଭାରତରେ ଏହାର ବ୍ୟବସାୟକୁ ଏକ ବଡ଼ ଝଟକା ଲାଗିବା ସୁନିଶ୍ଚିତ ।
ସୂଚନାଯୋଗ୍ୟ, ଜାନୁଆରୀ ୫ରେ ହ୍ୱାଟସଆପ୍ ବିଶ୍ୱର ସମସ୍ତ ୟୁଜର୍ସଙ୍କୁ ନୂତନ ଗୋପନୀୟତା ନୀତିର ନୋଟିଫିକେସନ ପଠାଇଥିଲା । ଏହି ନୂତନ ନୋଟିଫିକେଶନରେ ହ୍ୱାଟସଆପ୍ କହିଛି ଯେ କମ୍ପାନୀ ଆପଣଙ୍କର ବ୍ୟକ୍ତିଗତ କଲ୍ ଡାଟା, କଣ୍ଟାକ୍ଟ ନମ୍ବର, ଲୋକେଶନ, ନେଣଦେଣ ସୂଚନା ଏବଂ ପ୍ଲାଟଫର୍ମରେ ସେୟାର ହୋଇଥିବା ସମସ୍ତ ଫଟୋ-ଭିଡିଓ ବ୍ୟବହାର କରିପାରିବ । ଫେସବୁକ୍ ସହିତ ଆପଣଙ୍କର ସୂଚନା ବାଣ୍ଟିବା କଥା ମଧ୍ୟ କୁହାଯାଇଥିଲା । ଯାହାକୁ ନେଇ ତୀବ୍ର ବିରୋଧର ସାମ୍ନା କରିଥିଲା ହ୍ୱାଟସଆପ୍।