SUNSTARTV
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଲା ରାଜନୀତିର ମହାପର୍ବ । ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ଦେଶରେ ଆଜି ୧୮ ତମ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି । ଯେଉଁଠି ଜନତା ଠାରୁ ଆରମ୍ଭ କରି ରାଜନେତା, ଅଭିନେତା ସମସ୍ତେ ନିଜ ମତ ଦେଉଛନ୍ତି , ଏବଂ ସେମାନଙ୍କ ପ୍ରିୟ ନେତାଙ୍କୁ ଚୟନ କରୁଛନ୍ତି । ତେବେ ଏହି ମହାପର୍ବରେ ଅନେକ ବଡବଡ ଲୋକ ନିଜ ମତ ଦେଉଥିବା ବେଳେ ସାଉଥ ସୁପରଷ୍ଟାରମାନେ ମଧ୍ୟ ତାଙ୍କ ପ୍ରିୟ ନେତାଙ୍କୁ ଭୋଟ ଦେଉଛନ୍ତି । ଏଥିରେ ସୁପରଷ୍ଟାର ରଜନୀକାନ୍ତ, କମଲ ହସନ, ଧନୁଷ ଏବଂ ଅଜିତ କୁମାର ପୋଲିଙ୍ଗ ବୁଧରେ ପହଞ୍ଚି ମଦଦାନ କରିଛନ୍ତି ।
ତେବେ ଆଜି ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ୧୦୨ଟି ଲୋକସଭା ଆସନ ପାଇଁ ହେଉଛି ଭୋଟିଙ୍ଗ । ଯେଉଁଥିରେ ୧ ହଜାର ୬୨୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ସାଧାରଣ ଜନତା । ଏହି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇସାରିଲାଣି । ୧୦୨ ଲୋକସଭା ଆସନରେ ହେଉଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ଟି ଆସନ ରହିଛି । ସେହିପରି ଉତ୍ତରାଖଣ୍ଡ ଓ ମହାରଷ୍ଟ୍ରର ୫ଟି ଲେଖାଏଁ ଆସନରେ ନିଜର ଭୋଟ ଦେଉଛନ୍ତି ସାଧାରଣ ଜନତା । ଏହା ବ୍ୟତୀତ ରାଜସ୍ଥାନର ୧୨ଟି ଆସନ, ୟୁପିର ୮, ମଧ୍ୟପ୍ରଦେଶର ୬,ପଶ୍ଚିମବଙ୍ଗର ୩, ଏବଂ ଅରୁଣାଚଳପ୍ରଦେଶର ୨ଟି ଲେଖାଏଁ ଆସନରେ ପଡିଛି ଭୋଟ । ଅପରପକ୍ଷେ ବିହାର ଓ ଆସାମର ୪ଟି ଆସନ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ମତଦାନ କରୁଛନ୍ତି ଜନତା ।
ଏହି ମତଦାନ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ହେଉଛି । ଏଥିରେ ଭୋଟ ଦେଉଛନ୍ତି ୧୬ କୋଟି ୫୩ ଲକ୍ଷ ମତଦାତା । ଏଥିପାଇଁ ୧୮ ଲକ୍ଷ ପୋଲିଂ କର୍ମଚାରୀ ହୋଇଛନ୍ତି ନିଯୁକ୍ତ । ପୋଲିଂ କାର୍ଯ୍ୟରେ ୪୧ ହେଲିକେପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ ଏବଂ ୧ ଲକ୍ଷ କାର ନିଯୁକ୍ତ କରାଯାଇଛି । ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଏହି ଲୋକସଭା ନିର୍ବାଚନରେ ସାଢେ ତିନି କୋଟିରୁ ଅଧିକ ଯୁବ ଭୋଟର ଅଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସମ୍ବେଦନଶୀଳ ବୁଥ ଗୁଡିକରେ କଡା ବ୍ୟବସ୍ତା କରାଯାଇଛି । ତେବେ ୧୬୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୯୧ ପୁରୁଷ ପ୍ରାର୍ଥୀ ଥିବାବେଳେ ୧୩୪ ଜଣ ମହିଳା ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।