SunstarTV
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ସାଧାରଣତଃ କୃଷକମାନେ ଏହାକୁ ତାଙ୍କର ବଡ ପର୍ବ ଭାବେ ପାଳନ କରିଥାନ୍ତି। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ପରମ୍ପରା ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧତା ଆସିବା ସହ ଶୁଭଫଳ ମିଳିବ ବୋଲି ବିଶ୍ୱାସ କରାଯାଏ। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବହୁତ୍ ଶୁଭ ମନାଯାଇଥାଏ । ମା’ ଲକ୍ଷ୍ମୀଙ୍କର ହେଉଛି ଏହି ଦିନ । ତେଣୁ ମା’ଙ୍କୁ ଯାହା ଯାହା ପସନ୍ଦ ତାହା ଲୋକେ ଖୁବ୍ ଶ୍ରଦ୍ଧା କରିଥାନ୍ତି ।
ଆଜିର ଦିବ୍ୟ ମୁହୁର୍ତ୍ତରେ ଯେ କୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ବାସ ରହିଛି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ । ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ ।
ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣି ସହ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କୁହାଯାଏ ।
ଅନୁକୂଳ ହେବ ରଥକାଠ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଆଜି ଅନୁକୂଳ ହେବ । ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ ।
ସେହିପରି ଆଜିଠୁ ୨୧ ଦିନଧରି ଚାଲିବ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ, ପଞ୍ଚୁ ପାଣ୍ତବ ଓ ରାମ କୃଷ୍ଣ ନରେନ୍ଦ୍ର ପୁଷ୍କରିଣୀରେ କରିବେ ନୌକା ବିହାର ।