SunstarTV
ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୦ରୁ ଅଧିକ ଆନ୍ତର୍ଜାତୀୟ ଏବଂ ଘରୋଇ ବିମାନ ବାତିଲ । ସୂଚନାନୁସାରେ, ବିମାନର ବରିଷ୍ଠ କ୍ରୁ ସଦସ୍ୟମାନେ ବର୍ତ୍ତମାନ ସିକ ଲିଭରେ ଯାଇଛନ୍ତି। ଏଭଳି ପରିସ୍ଥିତିରେ ଏହି ବିମାନଗୁଡିକ ବାତିଲ କରାଯାଇଛି। ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି। ଏହି ବିମାନ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ରହିଛି।
ଏକ ବିବୃତ୍ତିରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି, ଆମର କ୍ୟାବିନ କ୍ରୁଙ୍କର ଏକ ବିଭାଗ ଗତ ରାତିର ଶେଷ ମୁହୂର୍ତ୍ତରେ ଅଚାନକ ଅସୁସ୍ଥ ଥିବା ରିପୋର୍ଟ ମିଳିଛି, ଯାହାଫଳରେ ବିମାନ ଚଳାଚଳକୁ ବିଳମ୍ବ ଏବଂ ବାତିଲ କରାଯାଇଛି।
ଏହି ଘଟଣାଗୁଡ଼ିକର କାରଣ ବୁଝିବା ପାଇଁ ଆମେ କ୍ରୁଙ୍କ ସହ ଯୋଡ଼ି ହୋଇ ରହିଛୁ। ଆମର ଟିମ୍ ଏହି ସମସ୍ୟାକୁ ସମାଧାନ କରିବାରେ ଲାଗିପଡ଼ିଛନ୍ତି। ଯାହା ଫଳରେ ଆମେ ଯାତ୍ରୀମାନଙ୍କ ସମସ୍ୟାକୁ କମ୍ କରିପାରିବୁ।
ସୂଚନା ମୁତାବକ ଗତ ମାସ ଶେଷରେ ଏୟାର ଇଣ୍ଡିଆ ଏକ୍ସପ୍ରେସ କ୍ୟାବିନ କ୍ରୁଙ୍କ ଏକ ବିଭାଗର ପ୍ରତିନିଧିତ୍ୱ କରୁଥିବା ଏକ ୟୁନିଅନ ଅଭିଯୋଗ କରିଥିଲା ଯେ ବିମାନ ସେବା ପରିଚାଳନା କରାଯାଉ ନାହିଁ ଏବଂ କର୍ମଚାରୀଙ୍କୁ ଅସମାନ ବ୍ୟବହାର କରାଯାଉଛି। ଯାହା କର୍ମଚାରୀଙ୍କ ମନୋବଳ ଉପରେ ପ୍ରଭାବ ପକାଉଛି ।
ଏହି ଘଟଣା ପରେ ଏୟାର ଇଣ୍ଡିଆ ତରଫରୁ ସୂଚନା ଦିଆ ଯାଇଛି ଯେ ଏହି ଅପ୍ରତ୍ୟାଶିତ ବ୍ୟାଘାତ ପାଇଁ ଆମେ ଆମର ଅତିଥିମାନଙ୍କୁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ। ଏହାଛଡ଼ା ନିଶ୍ଚିତ କରୁଛୁ ଯେ ଏହି ସେବା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି।
ବାସ୍ତବରେ, ଏୟାର ଇଣ୍ଡିଆ କିଣିବା ପରେ ଟାଟା ଗ୍ରୁପ୍ ଏହାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ କ୍ରମାଗତ ଭାବରେ ଅନେକ ପଦକ୍ଷେପ ନେଉଛି। ଏ ବାବଦରେ ପୁରୁଣା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି କାରଣରୁ, ଗତ କିଛି ଦିନ ହେବ ଏହି ପ୍ରକାରର ସମସ୍ୟା ଦେଖାଯାଉଛି ।