SunstarTV
କୁହାଯାଏ ପୁସ୍ତକ ହିଁ ମନୁଷ୍ୟର ପ୍ରକୃତ ବନ୍ଧୁ । ଆଉ ପ୍ରତିବର୍ଷ ଆଜିର ଦିନ ଅର୍ଥାତ ଏପ୍ରିଲ ୨୩କୁ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ଭାବେ ପାଳନ କରୁଛି । ଏହି ଦିବସକୁ ଆନ୍ତର୍ଜାତୀୟ ପୁସ୍ତକ ଦିବସ ମଧ୍ୟ କୁହାଯାଏ। ବହି ପଢିବା, ଲେଖିବା, ଅନୁବାଦ କରିବା, ପ୍ରକାଶନ ଏବଂ କପିରାଇଟ୍ କରିବାର ମହତ୍ତ୍ୱକୁ ଜଣେଇବା ପାଇଁ ପ୍ରତିବର୍ଷ ପୁସ୍ତକ ଦିବସ ପାଳନ କରାଯାଏ। ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଦ୍ୱାରା ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଏ।
ୟୁନେସ୍କୋ ଦ୍ୱାରା ପ୍ରତିବର୍ଷ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ଆୟୋଜିତ ହୋଇଥାଏ। ଏହା ପ୍ରଥମେ ୨୩ ଏପ୍ରିଲ ୧୯୯୫ରେ ପାଳନ କରାଯାଇଥିଲା। ୱିଲିୟମ୍ ସେକ୍ସପିୟର ଏବଂ ମିଗୁଏଲ୍ ସର୍ଭେଣ୍ଟିସ୍ଙ୍କ ପରି ଲେଖକଙ୍କୁ ସମ୍ମାନ ଦେବା ପାଇଁ ୟୁନେସ୍କୋ ୨୩ ଏପ୍ରିଲ୍କୁ ବାଛିଥିଲା, କିନ୍ତୁ ପ୍ରକୃତରେ ଏହି ଦିନଟି ପ୍ରଥମ ଥର ୧୯୨୨ ମସିହାରେ ସ୍ପେନ୍ର ଲେଖକ ଭିସେଣ୍ଟେ କ୍ଲେଭ୍ ଆଣ୍ଡ୍ରେସଙ୍କ ଦ୍ୱାରା ମିଗୁଏଲ୍ ସର୍ଭେଣ୍ଟିସ୍ଙ୍କୁ ମନେ ରଖିବା ଏବଂ ସମ୍ମାନ ଦେବା ପାଇଁ ବ୍ୟବହାର କରାଯାଇଥିଲା।
୨୩ ଏପ୍ରିଲରେ ବିଶ୍ୱ ପୁସ୍ତକ ଦିବସ ପାଳନ କରିବାର ଗୋଟିଏ କାରଣ ହେଉଛି ଏହି ଦିନ ବହୁ ବିଶିଷ୍ଟ ଲେଖକ ଜନ୍ମ ହୋଇଥିଲେ ଏବଂ କିଛି ମହାନ ଲେଖକ ମଧ୍ୟ ଏହି ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାନୁଏଲ ମେଜିଆ ଭାଲେଜୋ ଏବଂ ମରିସ ଡ୍ରୁନ୍ ଏପ୍ରିଲ୍ ୨୩ ରେ ଜନ୍ମ ହୋଇଥିବାବେଳେ ୱିଲିୟମ୍ ସେକ୍ସପିଅର୍, ମିଗୁଏଲ୍ ଡି ସର୍ଭାଣ୍ଟେସ୍ ଏବଂ ଜୋସେପ୍ ପ୍ଲାଙ୍କର ଏପ୍ରିଲ୍ ୨୩ ରେ ମୃତ୍ୟୁ ହୋଇଥିଲା। ଏହି କାରଣରୁ, ୨୩ ଏପ୍ରିଲ୍ ବିଶ୍ୱ ପୁସ୍ତକ ଦିବସ ଭାବରେ ପାଳନ କରାଯାଏ ।
ମହତ୍ତ୍ୱ:
ଏହି ଦିନ, ୟୁନେସ୍କୋ ଏବଂ ପୁସ୍ତକ ଶିଳ୍ପର ତିନୋଟି ପ୍ରମୁଖ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ଆନ୍ତର୍ଜାତୀୟ ସଂଗଠନ – ପ୍ରକାଶନ, ପୁସ୍ତକ ବିକ୍ରେତା ଏବଂ ଲାଇବ୍ରେରୀ – ପ୍ରତିବର୍ଷ ୨୩ ଏପ୍ରିଲରୁ ଆରମ୍ଭ ହୋଇ ଏକ ବର୍ଷର ଅବଧି ପାଇଁ ୱାର୍ଲ୍ଡ ବୁକ୍ କ୍ୟାପିଟାଲ୍ ଚୟନ କରନ୍ତି।
ମେକ୍ସିକୋର ଗ୍ୱାଡଲାଜାରା ସହର ୨୦୨୨ ପାଇଁ ୱାର୍ଲ୍ଡ ବୁକ୍ କ୍ୟାପିଟାଲ୍ ଭାବରେ ମନୋନୀତ ହୋଇଛି। ବର୍ଷସାରା ଅନେକ କାର୍ଯ୍ୟକ୍ରମ ହେବ, ଯାହା ସାମାଜିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା, ହିଂସାକୁ ମୁକାବିଲା କରିବା ଏବଂ ଶାନ୍ତିର ସଂସ୍କୃତି ଗଢିବାରେ ପୁସ୍ତକ ଏବଂ ପଢିବାର ଭୂମିକା ଉପରେ ଧ୍ୟାନ ଦେବ।