SUNSTARTV
ନୂଆଦିଲ୍ଲୀ: ଦୁନିଆର ବହୁ ଲୋକପ୍ରିୟ ଇଲେକ୍ଟ୍ରିକ୍ କାର କମ୍ପାନି ଟେସ୍ଲାର ମାଲିକ ଏଲନ ମସ୍କ ଚଳିତ ମାସ ଭାରତ ଆସିବେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଏଲନ ମସ୍କ ଭାରତରେ ନିବେଶ ଏବଂ ନୂଆ ଫ୍ୟାକ୍ଟ୍ରି ବସାଇବା ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ବିଶ୍ବାସ କରାଯାଉଛି ।
ନ୍ୟୁଜ ଏଜେନ୍ସି ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏପ୍ରିଲ ୨୨ ସୁଦ୍ଧା ମସ୍କ ଭାରତ ଆସିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିପାରନ୍ତି ।ମିଳିଥିବା ସୂଚନା ଅନୁସାରେ, ମସ୍କଙ୍କ ସହ ଅନ୍ୟ ଅଧିକାରୀ ଆସିବେ ।ତେବେ ମସ୍କଙ୍କ ଭାରତ ଆଗମନ ଯୋଜନାରେ ପରିବର୍ତ୍ତନ ବି ହୋଇପାରେ । ମସ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ଲାଗି ଜୁନ୍ ରେ ନ୍ୟୁୟର୍କରେ ଭେଟ ହୋଇଥିଲେ ।ଇଲେକ୍ଟ୍ରିକ୍ କାର ଉପରେ ଇମ୍ପୋଟ ଡ୍ୟୁଟି କମ୍ କରିବାକୁ ମୋଦୀଙ୍କୁ କହିଥିଲେ ମସ୍କ । ସେପଟେ ଭାରତ ଗତ ମାସରେ ଏକ ଇଭି ପଲିସି ଆଣିଛି । ଏହା ଦ୍ବାରା ଯଦି କୌଣସି କମ୍ପାନି ଭାରତରେ ୫୦୦ ମିଲିୟନ୍ ଡଲାର ନିବେଶ କରେ ଏବଂ ଗୋଟିଏ ଫ୍ୟାକ୍ଟ୍ରି ବସାଏ ତେବେ କେତେକ ମଡେଲ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତରୁ କମାଇ ୧୫ ପ୍ରତିଶତ କରିଦିଆଯିବ ।
ଚଳିତ ମାସ ଆରମ୍ଭରେ ରୟଟର୍ସ ଖବର କରିଥିଲା ଯେ, ଟେସଲା ଜର୍ମାନିସ୍ଥିତ ନିଜ ଫ୍ୟାକ୍ଟ୍ରିରେ ରାଇଟ୍ ହ୍ୟାଣ୍ଡ ଡ୍ରାଇଭ କାର ଉତ୍ପାଦନ ଆରମ୍ଭ କରିଛି ।ଏହି ସବୁ କାର ଭାରତୀୟ ବଜାରକୁ ଆସିପାରେ ।ତେବେ ଟେସଲାର ସମ୍ଭାବ୍ୟ ଭାରତ ପ୍ରବେଶକୁ ନେଇ ଚର୍ଚ୍ଚା ଲାଗି ରହିଛି ।ଏସବୁ ଭିତରେ ଟେସଲାର ଏକ ପ୍ରତିନିଧିମଣ୍ଡଳୀ ଭାରତରେ କେଉଁ ସ୍ଥାନ ଇଲେକ୍ଟ୍ରିକ୍ ଭେଇକିଲ ଉତ୍ପାଦନ ଲାଗି ଭଲ ହେବ ସେନେଇ ସର୍ଭେ କରିବାକୁ ଆସିପାରନ୍ତି ବୋଲି ଆଉ ଏକ ଖବର ଦେଶରେ ଉତ୍ସାହ ସୃଷ୍ଟି କରିଛି ।