ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ପୁଣି ଥରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୦ ଓ ୨୧ରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ମଧ୍ୟ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ପ୍ରଥମେ ବାରିପଦାରେ ୨୦ ତାରିଖ ଦିନ ପହଞ୍ଚି ପାହାଳପୁରରେ ଥିବା SLS ସ୍କୁଲକୁ ଯିବେ। ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ପରେ ଏଲ.ଏଣ୍ଡ.ଟି କମ୍ପାନୀ ଦ୍ବାରା ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ। ୨୧ ତାରିଖରେ ବାଦାମପାହାଡ ଗସ୍ତରେ ଯିବେ ମହାମହିମ। ପରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ପୂଜା ଭେଟି ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍ ଓ ବାଦାମପାହାଡରୁ ଟାଟାନଗର ଦୈନିକ ଟ୍ରେନ ଚଳାଚଳ ନେଇ ଘୋଷଣା କରିଥିଲେ।
ଏହାବ୍ୟତୀତ ରାଇରଙ୍ଗପୁର ମୁଖ୍ୟ ଡାକଘର ଏବେ ଜିଲ୍ଲା ବା ଡିଭିଜନାଲ ମୁଖ୍ୟ ଡାକ କାର୍ଯ୍ୟାଳୟ ହେବାର ସୂଚନା ରହିଛି। ଏହାକୁ ମଧ୍ୟ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ପୁନରୁଦ୍ଧାର, ଉନ୍ନତିକରଣ ଓ ମରାମତି ଆରମ୍ଭ ହୋଇଛି। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ଖବର ଶୁଣିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସୀର ଲହରୀ। ମହାମହିମଙ୍କ ସ୍ବାଗତ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି।