ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ଠିକା ନିଯୁକ୍ତିରେ ଯୁଗ ଶେଷ ହେବା ସତ୍ତ୍ୱେ ଓଡ଼ିଶାରେ କାର୍ଯ୍ୟରତ ପ୍ରାୟ ୪ଶହରୁ ଅଧିକ ଶିଶୁ ସୁରକ୍ଷା କର୍ମଚାରୀଙ୍କ ପାଇଁ ଲାଗୁ ନ ହେବା ପରିତାପର ବିଷୟ ହୋଇଛି । ଏହି ବିଭାଗରେ ଜିଲ୍ଲା ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବିଗତ ୧୦ ବର୍ଷ ହେବ ସର୍ବନିମ୍ନ ମଜୁରୀ ମଧ୍ୟ ପାଉନାହାନ୍ତି |ଏବଂ ଏହି ୧୦ ବର୍ଷ ମଧ୍ୟରେ ନିଜର ଭବିଷ୍ୟତକୁ ସୁରକ୍ଷିତ ନକରିପାରିବା ଏକ ପରିତାପର ବିଷୟ ହୋଇଛି । ମୁଖ୍ୟତଃ ମାସିକ ୮ ହଜାର ଟଙ୍କାରେ ଅସହାୟ ଶିଶୁ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସାମାଜିକ ସୁରକ୍ଷା ତଥା ବିଜୁ ଶିଶୁ ସୁରକ୍ଷା ଯୋଜନା କୁ ସେମାନଙ୍କ ନିକଟରେ ପହଞ୍ଚାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି । ଅନେକଥର ରାଜ୍ୟ ଶିଶୁ ସୁରକ୍ଷା କର୍ମଚାରୀ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଥିଲେ ମଧ୍ୟ ଏବେ ଏବେ ଘୋଷଣା କରାଯାଇଥିବା ସମସ୍ତ ଅସ୍ଥାୟୀ ନିଯୁକ୍ତିକୁ ସ୍ଥାୟୀ କରିବା ଘୋଷଣା ପତ୍ରରେ ଏମାନଙ୍କୁ ଅନ୍ତର୍ଭୁକ୍ତ ନକରିବା ସରକାରଙ୍କ ବୈମାତୃକ ମନୋଭାବକୁ ପଦାରେ ପକାଇ ଦେଇଛି ।
ଜିଲ୍ଲାସ୍ତରରେ ଥିବା ଶିଶୁ ସୁରକ୍ଷା ବିଭାଗ ପ୍ରତ୍ୟେକ ବ୍ଲକରେ ଅସହାୟ, ନିରୁଦ୍ଦିଷ୍ଟ ଏବଂ ବିଭିନ୍ନ ସାମାଜିକ ସ୍ତରରେ ପିଡ଼ିତ ଶିଶୁ , ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇ ବିଗତ ୧୦ ବର୍ଷ ହେବ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଥିବା କର୍ମଚାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାରେ ଖୁବ୍ ଖୁସି ଅନୁଭବ କରୁଥିବା ସମୟରେ ହିଁ ଆରଦିନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନୋଟିଫିକେସନରେ ଏହି ଶିଶୁ ସୁରକ୍ଷା କର୍ମଚାରୀମାନେ ହତାସ ହୋଇଛନ୍ତି । ଏହି ଠିକା ରୂପୀ ଏକ ଘ୍ରୁଣ୍ୟ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ରୂପେ ଉଛେଦ କରିବା ପାଇଁ ଭୁବନେଶ୍ବର ଜୟଦେବ ଭାଟିକାରେ ରାଜ୍ୟ ଶିଶୁ ସୁରକ୍ଷା କର୍ମଚାରୀ ମହାସଂଘର ଏକ ବୈଠକ ମହାସଂଘର ସଭାପତି ଉଦୟନାଥ ସ୍ୱାଇଁ ଙ୍କ ଆଜି ଅନୁଷ୍ଠିତ ହେଇଥିଲା।
ଏହି ବୈଠକରେ ମହାସଂଘର ଉପଦେଷ୍ଟା ତଥା ଓଡ଼ିଶା କର୍ମଚାରୀ ସଗ୍ରାମ ସମିତିର ଉପଦେଷ୍ଟା ଏବଂ ସଭାପତି ବିଜୟ ମଲ୍ଲ ଯୋଗ ଦେଇ କର୍ମଚାରୀ ମାନଙ୍କ ଦାଵିକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିଵେ ବୋଲି ପ୍ରତିଶ୍ରୁତି ଦେଇଥିଲେ | ଆମ୍ଭେମାନେ ଯେ ପର୍ଯ୍ୟନ୍ତ ସଫଳତା ନ ପାଇଛେ ସେ ପର୍ଯ୍ୟନ୍ତ ଏହି ସଂଗ୍ରାମ ଆଗକୁ ଜାରିରହିଵ ବୋଲି କହିଛନ୍ତି ବିଜୟ ମଲ୍ଲ । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସମ୍ପାଦକ ମିହିର ଜେନା, ଶୁଶାନ୍ତ ଭୋଇ, ସୁବାଷ ମଲିକ, ଅରୁଣ କୁମାର ତ୍ରିପାଠୀ, ଵାଣିଶ୍ରୀ ପଟ୍ଟନାୟକ ରଶ୍ମିତା କରଣ ଏବଂ ଉପଦେଷ୍ଟା ପ୍ରିତିକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଗକୁ ଏହି ଠିକା ବ୍ୟବସ୍ଥା ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ମହାସଂଘ ବୈଠକରେ ଦୁଇଶହରୁ ଉର୍ଦ୍ଧ୍ବ ଶିଶୁ ସୁରକ୍ଷା କର୍ମଚାରୀ ମାନେ ଯୋଗ ଦେଇଥିଲେ।
ରିପୋର୍ଟ: ଦୀପା ପ୍ରଧାନ