ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ଦିଲ୍ଲୀ ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ଆଜି ଜୟଦେବ ଭବନରେ ଜାତୀୟ ଶିକ୍ଷା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏଆଇସିଟିଇ ଇଂଜିନିୟରିଂ ବହିର ଓଡ଼ିଆ ଭଷାରେ ପୁସ୍ତକ ଉନ୍ମୋଚିତ କରାଯାଇଛି । ଏଥିସହ ଇ-କୁମ୍ଭ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ‘ମା, ମାଟି, ମାତୃଭାଷାର ବିକଳ୍ପ ନାହିଁ ତେଣୁ ଆଉ ଯେଉଁ ଭାଷା ପାରୁଛ ଶିଖ ମାତୃଭାଷା ପ୍ରତି ମହତ ରଖ’ | ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଆମ ଛାତ୍ରଛାତ୍ରୀମାନେ ମାତୃଭାଷାରେ ଶିକ୍ଷାଲାଭ କଲେ ବେଶ୍ ସଫଳ ହେବେ । ଜାତୀୟ ଶିକ୍ଷାନୀତି ୨୦୨୦ରେ ସ୍ଥାନୀୟ ତଥା ଆଞ୍ଚଳିକ ଭାଷାରେ ଶିକ୍ଷାଲାଭ ପାଇଁ ଗୁରୁତ୍ୱ ଦିଆଯାଇଛି । ଏହା ଅତ୍ୟନ୍ତ ସଫଳ ହେବ ବୋଲି ଆଶା କରାଯାଉଛି । ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ଯଥା ସାଧ୍ୟମତେ ଚେଷ୍ଟା କରିବା, ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ଦେଖିବା ବୋଲି ରାଷ୍ଟ୍ରପ୍ରତି ନିଜ ଅଭିଭାଷଣରେ କହିଛନ୍ତି ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।
ରିପୋର୍ଟ: ଦୀପା ପ୍ରଧାନ