ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସାରା ଦେଶ ଏବେ କରୋନା ମହାମାରୀ କବଳରେ କବଳିତ । ଏହି ମହାମାରୀ କବଳରୁ ମୁକୁଳିବାର ଏକମାତ୍ର ସଞ୍ଜୀବନୀ ହେଉଛି ଟିକା । ତେବେ ଏହି ଟିକା ଉପରୁ ଜିଏସଟି ଛାଡ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ଯେ, ରାଜ୍ୟ ସରକାର ଯେଉଁ କୋଭିଡ୍ ଟିକା ନିଜସ୍ୱ ପାଣ୍ଠିରୁ କିଣିବେ ସେ ଟିକା ଉପରେ ଜିଏସ୍ଟି ଛାଡ଼ କରାଯାଉ। ଏହାଛଡ଼ା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେସ୍ ଓ ସରଚାର୍ଜ ପାଣ୍ଠିରୁ ଟିକାକରଣ ପାଇଁ ସହାୟତା ଦିଅନ୍ତୁ । କେନ୍ଦ୍ରର ଏ ପଦକ୍ଷେପ ଦ୍ୱାରା ବହୁ ଗରିବ ରାଜ୍ୟ ନିଜସ୍ୱ ପାଣ୍ଠିରୁ ମଧ୍ୟ ଟିକାକରଣ ଅଭିଯାନକୁ ବ୍ୟାପକ କରିପାରିବେ ।
ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ନବୀନ ଆଉ ମଧ୍ୟ ଦର୍ଶାଇଛନ୍ତି ଯେ ସମଗ୍ର ଦେଶ ମହାମାରୀ କରୋନା କାରଣରୁ ଏବେ ଯୁଦ୍ଧଭଳି ପରିସ୍ଥିତି ଦେଇ ଗତି କରୁଛି । ଦେଶକୁ କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ଟିକାକରଣ ଜରୁରି । ତେଣୁ ରାଜ୍ୟ ସରକାରଙ୍କୁ ନିଜସ୍ୱ ପାଣ୍ଠିରୁ ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ଟିକା କିଣିବାକୁ କେନ୍ଦ୍ର ପ୍ରସ୍ତାବ ଦେଉ । ମାତ୍ର ଏ ଟିକା କ୍ରୟ ଉପରେ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ ହେଉ । ଏହାଦ୍ୱାରା ଟିକାର ଦାମ୍ କମ ରହିବ । ରାଜ୍ୟଗୁଡ଼ିକ ନିଜସ୍ୱ ପାଣ୍ଠିରୁ ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିବେ । ଟିକାକରଣ ଅଭିଯାନ ଆହୁରି ବ୍ୟାପକ ହୋଇପାରିବ । କରୋନା ଲଢ଼େଇ ପାଇଁ ଏହା ଅତି ଜରୁରି ।