ସନ୍ଷ୍ଟାର ଟିଭି ବ୍ୟୁରୋ
ଝାଡ଼ଖଣ୍ଡ: ପୁଅ ପ୍ରତି ସ୍ନେହରେ ମା’ ଯେତିକି ଅନ୍ଧ ଥିଲା, ମଦ ନିଶାରେ ମା’ ପ୍ରତି କ୍ରୋଧରେ ସେତିକି ଅନ୍ଧ ହୋଇଯାଇଥିଲା ୩୫ ବର୍ଷୀୟ ଯୁବକ । ନିଜ ଜନ୍ମକଲା ମା’କୁ ହିଁ ନିଜ ହାତରେ ହତ୍ୟା କରି ନୃଶଂସତାର ସବୁ ସୀମା ପାର୍ କଲା ସେ ।
ପୁଅ ପ୍ରତି ସ୍ନେହରେ ଅନ୍ଧ ମା’ ଯୁବକ ପୁଅର ମଦ୍ୟପାନ ଯୋଗୁଁ ଏତେ ଚିନ୍ତିତ ଥିଲେ ଯେ ସେ ସବୁ ବେଳେ ତାକୁ ମଦ ନ ପିଇବାକୁ କହୁଥିଲେ ଓ ଗାଳି କରୁଥିଲେ, ହେଲେ ସେ କେବେ ଭାବି ନ ଥିବେ ଯେ ସେ ତାଙ୍କର ସେହି ବାରଣ ଯୋଗୁଁ ଦିନେ ସେହି ପୁଅ ତାଙ୍କ ଜୀବନ ନେବ ।
ମଦ ନିଶାରେ ଚୁର୍ ହୋଇଥିବା ୩୫ ବର୍ଷୀୟ ଯୁବକ ନିଜ ୬୦ ବର୍ଷୀୟା ମା’ର ଗାଳି ଶୁଣି ଏତେ ଉତ୍ୟକ୍ତ ହୋଇଗଲା ଯେ ସେ ଖାଲି ତାଙ୍କୁ ପିଟି ପିଟି ହତ୍ୟା କଲା ତା’ ନୁହେଁ ।
ମା’କୁ ହତ୍ୟା କରିବା ପରେ ନିଜ ଘରେ ମା’ର ଶବକୁ ନିଆଁରେ ଜାଳିଲା ପୁଅ ଓ ସେହି ନିଆଁରେ ଗୋଟେ କୁକୁଡ଼ାକୁ ରାନ୍ଧି ତା’ ମାଂସ ଖାଇଲା । ଏହି ଲୋମହର୍ଷକ ନାରକୀୟ କାଣ୍ଡ ଘଟିଛି ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରେ ।
ପ୍ରଧାନ ସୋୟ ନାମକ ଏହି ୩୫ ବର୍ଷୀୟ ଯୁବକ ଶୁକ୍ରବାର ରାତିରେ ପୁଣି ଥରେ ମଦ ପିଇ ଘରକୁ ଫେରିବାରୁ ତା’ ୬୦ ବର୍ଷୀୟା ମା’ ସୁମି ସୋୟଙ୍କୁ ତାକୁ ଗାଳିଦେଇଥିଲେ । ଏତିକିରେ ପ୍ରଧାନର ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା ଓ ସେ ନିଜ ଜନ୍ମକଲା ମା’କୁ ପିଟିପିଟି ମାରିଦେଇଥିଲା ।
ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଖବର ଅନୁସାରେ ପ୍ରଧାନ ସୋୟ ନିଜ ମା’କୁ ରାତିରେ ପିଟି ପିଟି ମାରିଦେବା ପରେ ସକାଳେ ତାଙ୍କ ଶବକୁ ନିଜ ଘରେ ନିଆଁ ଲଗାଇ ଜାଳିଥିଲା ଓ ସେହି ନିଆଁରେ ଗୋଟେ କୁକୁଡ଼ା ରାନ୍ଧି ଖାଇଥିଲା । ହେଲେ ଏହି ଘଟଣା ତା’ ସାନ ଭଉଣୀ ଦେଖିପକାଇଥିଲା ଓ ପଡ଼ୋଶୀମାନଙ୍କୁ କହିଥିଲା ।
ପଡ଼ୋଶୀମାନେ ଦୌଡ଼ି ଆସି ପ୍ରଧାନ ସୋୟକୁ ଅଟକାଇଥିଲେ ଓ ତାକୁ ଏକ ଖୁଣ୍ଟରେ ବାନ୍ଧିପକାଇ ଥିଲେ । ସେମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ତାକୁ ଗିରଫ କରି ନେଇଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରଧାନ ସୋୟ ଚାରି ବର୍ଷ ତଳେ ନିଜ ବାପାଙ୍କୁ ବି ହତ୍ୟା କରିଥିଲା ଓ ସେଥି ପାଇଁ କିଛି ଦିନ ଜେଲରେ ରହିବା ପରେ ବେଲରେ ବାହାରକୁ ଆସିଥିଲା ।