ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଣିକି ଘଣ୍ଟାରେ ସାଢ଼େ ୫ଟା ବାଜିଲେ ଅଫିସ୍ରୁ ଫେରିବାକୁ ପଡ଼ିବ। ୫ଟା ୩୦ ପରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଦିଆଯାଇଛି ନିର୍ଦ୍ଦେଶ। ରାଜଧାନୀ ସ୍ଥିତ ଲୋକସେବା ଭବନର ନିକଟରେ ଥିବା ଇଞ୍ଜିନିୟରିଂ-ଇନ୍-ଚିଫଙ୍କ ଅଫିସରେ ଜାରି ହୋଇଛି ଏଭଳି ନିର୍ଦ୍ଦେଶନାମା। ସମ୍ପୃକ୍ତ କାର୍ଯ୍ୟାଳୟର ମହିଳା କର୍ମଚାରୀମାନେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଥିବା ବେଳେ ମହିଳା ସ୍ୱେଚ୍ଛାସେବୀ କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି।
ସଂଧ୍ୟା ପାଞ୍ଚଟା ତିରିଶ ସୁଦ୍ଧା କାମ ସାରି ଅଫିସ୍ରୁ ଯିବାକୁ ପଡ଼ିବ । ନିଜ କାମ ଦାୟିତ୍ୱର ସହ କରିବା ସହ କୌଣସି କାମ ବାକି ନ ରଖିବାକୁ ବି ଆଦେଶ ଜାରି ହୋଇଛି । ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସରେ ଗତକାଲି ଏମିତି କିଛି ଜାରି ହୋଇଛି ନିର୍ଦ୍ଦେଶନାମା। ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୁପରିଟେଣ୍ଡିଂ ଇଞ୍ଜିନିୟର କହିଛନ୍ତି। ତେବେ ମହିଳା କର୍ମଚାରୀଙ୍କୁ ସଞ୍ଜ ନଉଁ ନଉଁ ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ଘଟଣା ଅନେକଙ୍କ ଭିତରେ ଦ୍ଵନ୍ଦ ସୃଷ୍ଟି କରିଛି। ଉପରୁ ନିର୍ଦ୍ଦେଶ ଆସିଥିବାରୁ ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି।