ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଟ୍ରାକ୍ଟର୍ ରାଲି ଏବେ ଉଗ୍ର ରୂପ ନେବାରେ ଲାଗିଛି । ଚାଷୀମାନେ ସିଂଘୁ ଓ ଟିକରି ସୀମାରେଖାରେ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ମଧ୍ୟକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥିତି ଅଣାୟତ୍ତ ହେବା ଦେଖାଯାଉଛି । ଚାଷୀମାନମାନଙ୍କୁ ରୋକିବା ପାଇଁ ପୋଲିସ ଲୁହ ବୋହା ଗ୍ୟାସ ଓ ଲାଠି ପ୍ରୟୋଗ କରିଛି । ଦିଲ୍ଲୀରେ ଶାନ୍ତି ରଖିବାକୁ କୃଷକମାନଙ୍କୁ ଦିଲ୍ଲୀ ପୋଲିସ ଅନୁରୋଧ କରିଥିଲେ ମଧ୍ୟ ତାହାର କିଛି ଫାଇଦା ହୋଇନାହିଁ ।କୃଷକ ଖଣ୍ଡା ଧରି ପୋଲିସରୁ ଗୋଡାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ତେବେ କୃଷକମାନଙ୍କ ଆକ୍ରମଣର ଶିକାର ହୋଇ ବହୁ ପୋଲିସ ଆହାତ ହୋଇଥିବା ସୂଚନା ମିଳିଛି । ଟ୍ରାକ୍ଟରରୁ ପଡି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଦିଲ୍ଲୀର ଅନେକ ମେଟ୍ରୋ ଷ୍ଟେସନ ମଧ୍ୟ ଆନ୍ଦୋଳନ କାରଣରୁ ବନ୍ଦ ରଖାଯାଇଛି ।
ଚାଷୀମାନଙ୍କ ଟ୍ରାକ୍ଟର ରାଲିକୁ ଆୟତ୍ତ କରିବା ଏବେ କଷ୍ଟକର ହୋଇପଡିଛି । ସିଂଘୁ ସୀମାରେଖା ଦେଇ କୃଷକ ସଂଗଠନ ଏବେ ଆଇଟିଓ ରେ ମଧ୍ୟ ପହଞ୍ଚି ସାରିଛନ୍ତି ।ତେବେ କୃଷକମାନେ ନେତାମାନଙ୍କ କଥା ଶୁଣିବାକୁ ମଧ୍ୟ ରାଜି ନାହାନ୍ତି ସୂଚନା ମିଳିଛି । ଲାଲ୍କିଲ୍ଲାରେ ପହଞ୍ଚି କୃଷକ ପତାକା ଉଡାଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି କୃଷକ ସଂଗଠନ ।