ସନ୍ଷ୍ଟାର ଟିଭି ବ୍ୟୁରୋ
ତାଳଚେର: ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା ଦାବି ନେଇ ଏହି ଡାକରା ଦିଆଯାଇଥିବା ବେଳେ ଏଠାରେ ଥିବା ସମସ୍ତ କୋଇଲା ଖଣି ଅଚଳ କରାଯିବା ସହ କୋଇଲା ଉତ୍ପାଦନ ଓ ପରିବହନ ବନ୍ଦ ରହିବ ବୋଲି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି ।ତେବେ ତାଳଚେରସ୍ଥିତ ଟିଟିପିଏସ୍, ଏନଟିପିସିକୁ କାର୍ଯ୍ୟକାରୀ ରଖି ଏକକାଳୀନ ନୂତନ ପ୍ଳାଣ୍ଟ ନିର୍ମାଣ , ନବଗଠିତ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନକୁ ତୁରନ୍ତ ଖୋଲିବାକୁ ଦାବି କରାଯାଇଛି ।
ଏହାସହ ଏମ୍ସିଏଲ୍ ପକ୍ଷରୁ ତାଳଚେର ଠାରେ ନିର୍ମିତ ମେଡିକାଲ୍ କଲେଜ (ମିମ୍ସାର)କୁ ଖୋଲାଯିବା ସହ ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବା, ତାଳଚେର ରେଳ ଷ୍ଟେସନ ଠାରୁ ଅନୁଗୁଳ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରେଳପଥକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା , କଣିହାଁ ବ୍ଲକ ଓ ପାଲଲହଡା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ରେଳଯାତ୍ରାର ସୁଯୋଗ ଦେବା ପାଇଁ ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍କୁ ଏନ୍ଟିପିସି କଣିହାଁ ପର୍ଯ୍ୟନ୍ତ ବୃଦ୍ଧି କରାଯିବା, ଧୂଳି ଧୂଆଁ ପ୍ରଦୂଷଣକୁ କମାଇବା ସହ ଆଞ୍ଚଳିକ ବେକାରୀ ଦୂରୀକରଣ ନିମନ୍ତେ ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ସମସ୍ତ କୋଇଲା ପରିବହନ ରେଳଡ଼ବାରେ ପାଲଭିଡ଼ା କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଇ ବେକାରୀ ଯୁବକମାନଙ୍କୁ ସେଥିରେ ନିୟୋଜିତ କରାଯିବା ଇତ୍ୟାଦି ଦାବି କରାଯାଇଛି ।
ଅନିର୍ଦିଷ୍ଟ କାଳ ପାଇଁ ଡାକରା ଦିଆ ଯାଇଥିବା ଏହି ଅବରୋଧ ବେଳେ ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି । ଏହା ସହ ବିଭିନ୍ନ ଖଣି ଆଗରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି ।