ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଜାରି ରହିଛି ଚାନ୍ଦା ଆଦାୟ କାର୍ଯକ୍ରମ । ଭାରତୀୟ ଜନତା ପାର୍ଟୀର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଆଉ ଏଥିପାଇଁ ସେ ଏକ କୋଟି ଟଙ୍କା ଦାନ କରିଛନ୍ତି । ଗୁରୁବାର ତୀର୍ଥକ୍ଷେତ୍ର ଟ୍ରଷ୍ଟର ସନ୍ଥଙ୍କୁ ଗୌତମ ଗମ୍ଭୀର ଭେଟିଥିଲେ ଏବଂ ନିଜର ଦାନରାଶି ପ୍ରଦାନ କରିଥିଲେ ।
ଉଲ୍ଲେଖନିୟ କି, ରାମ ମନ୍ଦିର ଟ୍ରଷ୍ଟ ଏବଂ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଡିସେମ୍ବରରୁ ଚାନ୍ଦା ଆଦାୟ ଅଭିଯାନ ଜାରି ରହିଛି । ଏହା ମାଧ୍ୟମରେ ପାଖାପାଖି ପାଞ୍ଚ ଲକ୍ଷ ପରିବାର ପାଖରେ ପହଞ୍ଚିବାର ଲକ୍ଷ ରଖାଯାଇଛି । ଫଳରେ ରାମମନ୍ଦିର ନିର୍ମାଣ ପାଇଁ ଧନରାଶି ଏକାଠି ହୋଇପାରିବ । ସେହିପରି ଆଜି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ରାମମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର ଯୋଗଦାନ କରିଛନ୍ତି । କୋଲକାତାର ରାଜଭବନରେ ଟ୍ରଷ୍ଟର ଲୋକମାନେ ବେଙ୍ଗଲର ରାଜ୍ୟପାଳଙ୍କୁ ଭେଟିଥିଲେ । ଏହି ଅଭିଯାନର ଆରମ୍ଭରେ ଟ୍ରଷ୍ଟର ଲୋକମାନେ ସର୍ବପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସହୋଯୋଗ ରାଶି ଗ୍ରହଣ କରିଥିଲେ । ଏବଂ ରାଷ୍ଟ୍ରପତି ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।