ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ତୋଷାଳୀ ମେଳା ପରେ ଭୁବନେଶ୍ଵରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରସିଦ୍ଧ ଆଦିବାସୀ ମେଳା । ବିଭିନ୍ନ ଜିଲ୍ଲାର ସୁନ୍ଦର ସୁନ୍ଦର ଆଦିବାସୀ ହସ୍ତଶିଳ୍ପକୁ ଦେଖିବାକୁ ପାଇବେ ରାଜଧାନୀବାସୀ । ଜାନୁୟାରୀ ୨୬ରୁ ଆରମ୍ଭ ହୋଇ ଫେବୃଆରୀ ୯ ଯାଏଁ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଚାଲିବ ଏହି ମେଳା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜାତୀୟ ମେଳାର ଉଦ୍ଘାଟନ କରିବେ ।
କୋଭିଡ କଟକଣା ମଧ୍ୟରେ ସୁରକ୍ଷିତ ଭାବେ ଏହି ମେଳାର ଆୟୋଜନ କରାଯିବ । ମେଳାପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ ଟା ଯାଏଁ ଚାଲିବ ଦର୍ଶକ ଏହି ମେଳାର ଉପଭୋଗ କରିପାରିବେ । ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରର ଦର୍ଶକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ରାଜ୍ୟ ବାହାରର ଦର୍ଶକ ଏହି ମେଳାକୁ ଆସିବାକୁ ଚାହୁଁଥିଲେ ପ୍ରଥମେ ଅନ୍ଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଜାନୁୟାରୀ ୨୩ରୁ ରେଜିଷ୍ଟ୍ରେସନ ପାଇଁ ଖୋଲିବ ଓ୍ଵେବସାଇଟ । ସେହି ଓ୍ଵେବସାଇଟରେ ନିଜର ନାମ ରେଜିଷ୍ଟ୍ରେସନ କଲାପରେ ଆଦିବାସୀ ମେଳାରେ ବୁଲିବାକୁ ଅନୁମତି ମିଳିବ ।
ତେବେ ଏହା ପୂର୍ବରୁ ପ୍ରସିଦ୍ଧ ତୋଷାଳୀ ମେଳା ହେବାକୁ ନେଇ ସରକାର ଅନୁମତି ଦେଇଥିଲେ । ଆସନ୍ତା କାଲିଠୁ ଅର୍ଥାତ୍ ଜାନୁଆରୀ ୨୧ରୁ ଆରମ୍ଭ ହୋଇ ଫେବୃଆରୀ ୪ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ୧୫ତମ ଜାତୀୟ ତୋଷାଳି ମେଳା । ତେବେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ବୁଣାକାର ଏହି ମେଳାରେ ସାମିଲ ହେବେ ।ତେବେ ପ୍ରତିବର୍ଷ ଏହି ମେଳାକୁ ଦେଖିବାକୁ ଓ ବିଭିନ୍ନ ଘରକରଣା ଜିନିଷ କିଣିବାକୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହୋଇଥାନ୍ତି ।