ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀ ପାଇଁ ଦୀର୍ଘ ୧୦ ମାସ ହେବ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ଛାତ୍ରଛାତ୍ରଙ୍କ ଭବିଷ୍ୟତ ପାଇଁ ଜାନୁୟାରୀ ୧୦ରେ ଖୋଲିଥିଲା ଶିକ୍ଷାନୁଷ୍ଠାନ ।ତେବେ କଲେଜ ଖୋଲିବାର ୧୦ ଦିନ ନ ପୁରୁଣୁ ବାଣୀବିହାର କାମ୍ପସରେ ଦେଖାଯାଇଛି ଉତ୍ତେଜନା । ଗତକାଲିର ମାରପିଟ ଓ ଆଜିର ଭିସି ଅଫିସ ଘେରାଉ ପରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।ଏଣିକି ବିନା ଆଇକାର୍ଡରେ ବିଶ୍ଵବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିପାରିବେନି କୌଣସି ବ୍ୟକ୍ତି ।ଏନେଇ ବିଶ୍ଵବିଦ୍ୟାଳୟର ମୁଖ୍ୟ ଫାଟକରେ କଡାକଡି ଯାଞ୍ଚ କରାଯିବ । ସେ କହିଛନ୍ତି ଯେ ଏଥର ବାଣୀବିହାର କାମ୍ପସ ହେବ ଅଣଛାତ୍ରମୁକ୍ତ । କିଛି ଛାତ୍ର ଗୋଷ୍ଠୀ ରାଜନୈତିକ ଅଭିସନ୍ଧି ରଖି କ୍ୟାମ୍ପସ୍ରେ ଅଶାନ୍ତି ସୃଷ୍ଟି କରୁଛନ୍ତି ।
ସୂଚନାଯୋଗ୍ୟ ଗତକାଲି ବିଶ୍ଵବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ଅବ୍ୟବସ୍ଥା ନେଇ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହୋଇଥିଲେ । ତେବେ ଆଜି କାମ୍ପସରେ ଶାନ୍ତି ବଜାୟ ରଖିବା ନେଇ ପୋଲିସ କମିଶନରଙ୍କୁ ଭେଟିଥିଲେ କୁଳପତି । ଉତ୍ତେଜନାମୂଳକ ପରିସ୍ଥିତି ନେଇ ପୋଲିସ କମିଶନରଙ୍କୁ ଅବଗତ କରାଇଲେ । ଉତ୍ତେଜନା ଲାଗି ରହିଥିବାରୁ ବାଣୀବିହାରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।