ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ବଳରେ କୌଣସି ତଥ୍ୟ ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି ଏଥର ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟ ଜଣାଇବାକୁ ପଡିବ । ଏନେଇ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏହା କରିବା ଦ୍ଵାରା ସୂଚନା ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ତଥ୍ୟକୁ ନେଇ କୌଣସି ପ୍ରକାର ବେଆଇନ କାର୍ଯ୍ୟ କରିପାରିବ ନାହିଁ । ଏଥିସହ ଯେଉଁ ବ୍ୟକ୍ତି ବିଶେଷ ଉପରେ ତଥ୍ୟ ମଗାଯାଇଛି ତାକୁ ମଧ୍ୟ ନ୍ୟାୟ ମିଳିବ । ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏଥିସହ କେନ୍ଦ୍ରୀୟ ସୂଚନା ଆୟୋଗ ଦେଇଥିବା ଆଦେଶକୁ ମଧ୍ୟ ବଜାୟ ରଖିଛନ୍ତି କୋର୍ଟ ମାମଲା ରୁଜୁ କରିଥିବା ଆରଟିଆଇ ଆବେଦକ ପୂର୍ବରୁ ପ୍ରେସିଡେଣ୍ଟ ଇଷ୍ଟେଟରେ ଅସ୍ଥାୟୀ ନିଯୁକ୍ତିକୁ ନେଇ ଆରଟିଆଇରେ ସୂଚନା ମାଗିଥିଲେ । ହେଲେ ସେ ନିଜର କୌଣସି ତଥ୍ୟ ଏହି ଆବେଦନରେ ସାମିଲ କରିନଥିଲେ । ଏଥିପାଇଁ ସିଆଇସି ସୂଚନା ଦେବାକୁ ମନା କରିଦେଇଥିଲେ । ଏହା ବିରୋଧରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ । ଯାହାର ଶୁଣାଣି ବେଳେ କୋର୍ଟ ଆବେଦନକାରୀଙ୍କ ଭୁଲ ଥିବା ଜାଣିବାକୁ ପାଇଥିଲେ । ଏଥିପାଇଁ କୋର୍ଟ ତାଙ୍କୁ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କିନ୍ତୁ ଆର୍ଟିଆଇ ଆକ୍ଟ ଧାରା ୬(୨) ରେ ସ୍ପଷ୍ଟ ଭାବେ ଲିଖିତ ଯେ ସୂଚନା ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି କୌଣସି କାରଣ ଦର୍ଶାଇବା ଆବଶ୍ୟକ ନାହିଁ ବୋଲି ଦର୍ଶାଯାଇଛି ।