ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଓ ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ ପାଳନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଓଡିଶାରେ ମଧ୍ୟ ରାଜ୍ୟ କଂଗ୍ରେସ ଏହାକୁ ପାଳନ କରିବା ସହିତ ୧୫ ତାରିଖରେ ରାଜଭବନ ଘେରାଉ କରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞନ ପଟ୍ଟନାୟକ ସୂଚନା ଦେଇଛନ୍ତି । ପାୱାର୍ହାଉସ୍ ଛକରୁ ଏକ ଶୋଭାଯାତ୍ରା ବାହାରି ରାଜଭବନ ଅଭିମୁଖେ ଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୋଦୀ ସରକାର ପ୍ରଣୟନ କରିଥିବା ତିନିଟି କଳା କୃଷି ଆଇନ୍ ଯୋଗୁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷାଧିକ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କୃଷକ ମୃତ୍ୟୁବରଣ କରିଥିଲେ ମଧ୍ୟ କେନ୍ଦ୍ର ସରକାର ନିଜ ଜିଦ୍ରେ ଅଟଳ ଅଛନ୍ତି ।
ଶ୍ରୀ ପଟ୍ଟନାୟକ ଆଉ ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ରେକର୍ଡ କରିଛନ୍ତି, ଯାହା କି ୭୩ ବର୍ଷ ଇତିହାସରେ ପ୍ରଥମ । ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ପେଟ୍ରୋଲ ଉପରେ ଶୁଳ୍କ ଲିଟର୍ ପ୍ରତି ୯ ଟଙ୍କା ୨୦ ପଇସାରୁ ବୃଦ୍ଧି କରି ୩୨ ଟଙ୍କା ୯୮ ପଇସାରେ ପହଞ୍ଚାଇଛନ୍ତି । ସେହିପରି ଡିଜେଲ୍ ଉପରେ ଶୁଳ୍କ ଲିଟର ପ୍ରତି ୩ଟା ୪୬ ପଇସାରୁ ବୃଦ୍ଧି କରି ୩୧ ଟଙ୍କା ୮୩ ପଇସାରେ ପହଞ୍ଚାଇଛନ୍ତି । ଯେତେବେଳେ ଅଶୋଧିତ ତୈଳର ଦର ବ୍ୟାରେଲ୍ ପିଛା ୧୧୦ ଡଲାର କମି ୫୦ ଡଲାରରେ ପହଞ୍ଚିଛି, ସେତେବେଳେ ଉପରୋକ୍ତ ଦର ବୃଦ୍ଧି ଯୋଗୁ ମୋଦୀ ସରକାର ୧୯ ଲକ୍ଷ କୋଟି ଟଙ୍କା ପେଟ୍ରୋଲ ଓ ଡିଜେଲ୍ରୁ ଆଦାୟ କରିଛନ୍ତି । ଏହା କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇଛି। ୧୫ ତାରିଖ ରାଜଭବନ ଘେରାଉ କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗ ଦେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।