ସନଷ୍ଟାର୍ ଟିଭି ବ୍ୟୁରୋ
ଆରମ୍ଭ ହୋଇ ଯାଇଛି ଭୋଟ୍ ଗଣତି । ସମସ୍ତଙ୍କ ନଜର ଆଜି ବାଲେଶ୍ୱର ଓ ତିର୍ତ୍ତୋଲ ଭୋଟ ଗଣତି ଉପରେ ।କାହା ଭାଗ୍ୟରେ କଣ ଅଛି କାହା ପ୍ରଚାର ରେ କେତେ ଜୋର୍ ଅଛି ସବୁ ଜଣା ପଡ଼ିବ ଆଜି । ସରକାରଙ୍କ କାମ ରେ ଜନତା ସନ୍ତୁଷ୍ଟ କି ଅସନ୍ତୁଷ୍ଟ ତାହା ବି ଜଣା ପଡିବ ।
ତେବେ କରୋନା କଟକଣା ଭିତରେ ମତଦାନ ସୁରୁଖୁରରେ ସାରି ଯାଇଛି । ବାଲେଶ୍ୱର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓ ତିର୍ତ୍ତୋଲ ପାଇଁ ଏସଭିଏମ କଲେଜ ପରିସରରେ ସକାଳ ହେବ ଭୋଟ ଗଣତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ପ୍ରଥମେ ପୋଷ୍ଟାଲ ଭୋଟର ଗଣତି କରାଯିବ, ଏବଂ ଏହାପରେ ଇଭିଏମ ଭୋଟ ଗଣତି କରାଯିବ । କୋଭିଡ ନିୟମକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା, ମାସ୍କ, ଫେଓ ସିଲଡ୍, ସାନିଟାଇଜର, ୱାୟାରଲେସ୍ ବ୍ୟାରିକେଟ ଓ ଟ୍ରାଂସପାରେଣ୍ଟ ପିଲିଥିନ ସିଟ୍ ର ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକ ଫଳା ଫଳ ଦେଖିପାରିବା ପାଇଁ କ୍ୟାମେରା ଓ ଟିଭିର ବ୍ୟବସ୍ଥା କରାଯାଇଛି । ଏସବୁ ସରିବା ପରେ ଭିଭିପାଟ୍ ମେସିନ ମାଧ୍ୟମରେ ଗ୍ରହଣ କରାଯାଇଥିବା ଭୋଟର ଗଣତି ହେବ । ଇସିଆଇ ୱେବସାଇଟରେ ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳ ଆସିବ । ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଓ ସୁରକ୍ଷାବାହୀନିକୁ ଭୋଟ ଗଣତି କେନ୍ଦ୍ର ନିକଟରେ ନିୟୋଜିତ କରାଯିବ ।
ଉଭୟ ନିର୍ବାଚନ ମଣ୍ଡଳୀରେ ମୋଟ ୧୧୦ ଜଣ କାଉଁଟିଂ କର୍ମଚାରୀ ଓ ୫୭ଜଣ ମାଇକ୍ରୋ ଅବଜରଭର ଭୋଟ ଗଣତିରେ ନିୟୋଜିତ ରହିବେ । ତିର୍ତ୍ତୋଲରେ ୩୭୩ଟି ବୁଥ ଏବଂ ବାଲେଶ୍ୱରରେ ୩୪୬ଟି ବୁଥରେ ମତଦାନ ହୋଇଛି ।