ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଗତକାଲିଠୁ ଆରମ୍ଭ ହୋଇଛି ଆଠଗଡ଼ର ପ୍ରସିଦ୍ଧ ଶୈବ କ୍ଷେତ୍ର ଧବଳେଶ୍ବର ପୀଠରେ ସାଧାରଣ ଭକ୍ତଙ୍କ ଦର୍ଶନ । କରୋନା ସଂକ୍ରମଣ ଯୋଗୁଁ ଗତ ୧୦ ମାସ ହେଲା ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ଥିଲା ।
ମନ୍ଦିର ଖୋଲିବା ପାଇଁ କିଛିଦିନ ତଳେ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ଓ ମନ୍ଦିର ସେବାୟତଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ମୁତାବକ କୋଭିଡ୍ ନିୟମ ଅନୁଯାୟୀ ୮ତାରିଖ ଦିନ ପୂଜକ ପରିବାର, ୯ ଓ ୧୦ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ। ୧୧ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ପୀଠ ଖୋଲା ଯାଇଥିଲା ।
ପ୍ରଶାସନ ତରଫରୁ ସାଧାରଣ ଦର୍ଶନ ନିମନ୍ତେ ଜାରି ହୋଇଥିବା ନିୟମ ଅନୁଯାୟୀ ଶ୍ରଦ୍ଧାଳୁମାନେ ପୀଠକୁ ଆସି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଝୁଲାପୋଲ ପ୍ରବେଶ ପୂର୍ବରୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଛି । ଗୋଟିଏ ଥରରେ ୫୦ଜଣ ଶ୍ରଦ୍ଧାଳୁଙ୍କୁ ୬ଫୁଟ୍ ବ୍ୟବଧାନରେ ଦର୍ଶନ ନିମନ୍ତେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ପରିଧାନ ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଦିବସରେ ପ୍ରାୟ ୧ ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ମିଳିଛି ।