ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଫଳ ହୋଇଛି ସରକାର ଓ ଚାଷୀଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ । ପୂର୍ବ ଆଲୋଚନା ଗୁଡିକ ଭଳି ଏଥର ମଧ୍ୟ ଫେଲ ମାରିଛି ଚାଷୀଙ୍କୁ ବୁଝାଇବା ପାଇଁ ସରକାରଙ୍କ ସମସ୍ତ ରଣ କୌଶଳ । ଚାଷୀ ଓ ସରକାର ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସରକାର ଏହି ବୈଠକରେ ସ୍ପଷ୍ଟ ମନା କରିଦେଇଛନ୍ତି ତେବେ ଅପରପକ୍ଷରେ କୃଷକମାନେ ମଧ୍ୟ ୩ଟି ନୂତନ କୃଷକ ଆଇନକୁ ପ୍ରତ୍ୟାହାର ଦାବିକୁ ନେଇ ଅଡି ବସିଛନ୍ତି । ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ପ୍ରାୟ ୩ ଘଣ୍ଟାର ଆଲୋଚନା ନିଷ୍ଫଳ ହୋଇଛି । ତେବେ ପୁଣି ୧୫ ଜାନୁୟାରୀରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ତେବେ ଆଜିର ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଥିଲେ କୃଷକ ସଂଗଠନ । ପ୍ରାୟ ଏକ ମାସରୁ ଉର୍ଦ୍ଧ ହେବ ପ୍ରବଳ ଥଣ୍ଡା ଓ ବର୍ଷା ସହି ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି । ଗତ ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି ।