ସନ୍ଷ୍ଟାର ଟିଭି ବ୍ୟୁରୋ
ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିବାରେ ଲାଗିଛି । କଣ୍ଟେନମେଣ୍ଟ୍ ଜୋନ୍ ନଥିବା ସ୍ଥାନକୁ ଧୀରେ ଧୀରେ ଗ୍ରୀନ୍ ସିଗନାଲ୍ ଦେଉଛନ୍ତି ରାଜ୍ୟ ସରକାର। ଏଥର ରାଜ୍ୟରେ ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, କ୍ଲବରେ ଥିବା ବାର୍ ସହ ବିୟର ପାର୍ଲରକୁ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ଥିବା ସ୍ଥାନରେ କୌଣସି ବାର୍ କିମ୍ବା ବିୟର ପାର୍ଲର ଥିଲେ, ଏହାକୁ ବନ୍ଦ ରଖିବାକୁ ସରକାର ସୂଚନା ଦେଇଛନ୍ତି ।
ଏନେଇ ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ନିର୍ଦ୍ଦେଶନାମା ଅନୁସାରେ, ଏଣିକି ବାରଗୁଡ଼ିକ ଲାଇସେନ୍ସ ସର୍ତ୍ତାବଳୀରେ ଥିବା ଧାର୍ଯ୍ୟ ସମୟ ଯାଏଁ ଖୋଲା ରହିବ । ଗତବର୍ଷ ଜୁନ୍ ୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ଗାଇଡଲାଇନ୍କୁ ପାଳିବାକୁ ସମସ୍ତ “ଅନ୍ ସପ୍’ ବା ବାର୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ଏସବୁ ପ୍ରତି ତୀକ୍ଷ୍ମ ନଜର ରଖିବେ । ଯଦି କେହି କୋଭିଡ୍ ଗାଇଡଲାଇନ୍ ଓ ଅନ୍ୟାନ୍ୟ ପ୍ରାବଧାନକୁ ଉଲ୍ଲଘଂନ କରନ୍ତି, ତେବେ ସ୍ଥାନୀୟ ଜିଲ୍ଲାପାଳମାନେ ସେହି ବାର୍କୁ ବନ୍ଦ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।