ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ପୁଲିସ ଆଉ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ କୈଳାସ ଖଟୁଆକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷି ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ୪ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗତକାଲି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କୁ ନିଆଯାଇ ହତ୍ୟାକାଣ୍ଡର ରିକ୍ରିଏସନ କରାଯାଇଥିଲା । ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ଅଭିଯୁକ୍ତ।ଗତକାଲି ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର, ବାଇକ୍, ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ ।
ସୂଚନାଯୋଗ୍ୟ; ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।
ତେବେ ଏହି ଘଟଣା ପଛରେ ସ୍ଥାନୀୟ ବିଧାୟକ ତଥା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୨ଜଣଙ୍କ ନାଁରେ ଅଭିଯୋଗ ଆଣିଥିଲେ ମୃତକଙ୍କ ପୁଅ ତଥା ସମିତି ସଭ୍ୟ ରମାକାନ୍ତ ବରାଳ।