ଏବେଠୁ ରେକର୍ଡ କଲାଣି ତାତି । ଉପରମୁହାଁ ପାରଦ । ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା । ଟିଟିଲାଗଡ଼ ଓ ଝାରସୁଗୁଡ଼ା ଓ ବଲାଙ୍ଗିରେ ରେକର୍ଡ କରିଛି ତାତି । ଗତକାଲି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଛି । ବଲାଙ୍ଗିରରେ ମଧ୍ୟ ୩୮ ଡିଗ୍ରୀ ଛୁଇଁଛି ପାରଦ । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଟପିଛି ତାପମାତ୍ରା । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ । ସୋନପୁର, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ହୀରାକୁଦ, ବୌଦ୍ଧ ଓ ବାରିପଦାରେ ୩୭ ଡିଗ୍ରୀରୁ ଅଧିକ ରହିଥିଲା ଦିନ ତାପମାତ୍ରା । ମାର୍ଚ୍ଚ ଆରମ୍ଭରୁ ଏଭଳି ସ୍ଥିତି ଉପୁଜିଲାଣି । ଆଗକୁ ସ୍ଥିତି ଅସମ୍ଭାଳ ହେବା ଆଶଂକା ।
ଅନ୍ୟପଟେ ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ । ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି । ମାର୍ଚ୍ଚରୁ ଆରମ୍ଭ ହୋଇ ମେ ଯାଏ ଏପରି ସ୍ଥିତି ରହିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।