ଏଥର ପୁଣି କଲବଲ କରିବ ତାତି । ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି। ମାର୍ଚ୍ଚରୁ ଆରମ୍ଭ ହୋଇ ମେ ଯାଏ ଏପରି ସ୍ଥିତି ରହିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍ବାଭାବିକ ତୁଳନାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଅଧିକ ରହିବା ଯୋଗୁ ଏଥର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବଢ଼ିବ । ମାର୍ଚ୍ଚରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଆଶଙ୍କା ରହିଛି ।
ଗତବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିଲା । ଗତ ଏପ୍ରିଲରେ ଓଡ଼ିଶାରେ ଅନୁଭୂତ ହୋଇଥିହା ଗ୍ରୀଷ୍ମ ଲହରୀ ସଂଖ୍ୟା ସାରା ଦେଶରେ ଅଧିକ ରହିଥିଲା । ଏପ୍ରିଲରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତ ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନଥିବା ଗରମର ସମ୍ମୁଖୀନ ହୋଇଥିଲେ । ୨୦୨୫ରେ ରାଜ୍ଯରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା । ମାତ୍ର ଏବେ ଆଇଏମଡିର ଆକଳନ ପୁଣି ଥିରେ ଖରାକୁ ନେଇ ଭୟ ସୃଷ୍ଟି କରିଛି । ଏପଟେ ଆଜିଠୁ ରାଜ୍ୟରେ ବଢିବ ତାତି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ ସର୍ବନିମ୍ନ ତାପମାତ୍ରା । ୫ଦିନ ଯାଏ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।