ଚାଷୀଙ୍କ ଯନ୍ତ୍ରଣା ଲାଘବ କରିପାରୁନାହାନ୍ତି ଲୋକଙ୍କ ସରକାର । ଯେଉଁ ସରକାର ଦିନେ ଭୋଟ ପାଇଁ ଚାଷୀଙ୍କ ପାଦତଳେ ଶୋଇପଡୁଥିଲା ଆଜି ଚାଷୀଙ୍କ ଗୁହାରି ଶୁଣିବାକୁ ବି ତାଙ୍କ ନିଦ ଭାଙ୍ଗୁନି । ଦିନେ ବିଜେପି କହିଥିଲା ସରକାର ଆସିବା ପରେ ଆଉ କୌଣସି ମଣ୍ଡି ସମସ୍ୟା ଉପୁଜିବ ନାହିଁ । ତେବେ ଚାଷୀମାନଙ୍କ ମନରେ ମଧ୍ୟ ପଦ୍ମ ଦଳ ଯେଉଁ ଧାରଣା ସୃଷ୍ଟି କରିଥିଲା ତାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି । ଗତ ୨୪ ବର୍ଷର ବିଜେଡି ସରକାରରେ ଓଡ଼ିଶାର ଚାଷୀମାନଙ୍କ କ୍ଷେତ୍ରରେ ଅବ୍ୟବସ୍ଥା, ଦୁଃଖ, ଦୁର୍ଦ୍ଦଶା, ଅସୁବିଧା, ଅପଦସ୍ତରୁ ଉଦ୍ଧାର କରିବା ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନୀ ବୈତରଣୀ ପାର କଲା । ବିଜେପିର ଘୋଷଣା ଏକ ସ୍ପଷ୍ଟ ଧାରଣା ସୃଷ୍ଟି କରିଥିଲା ଯେ, ନବୀନ ସରକାରରେ କୃଷି କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ଦେଖାଯାଉଥିଲା, ଅନ୍ତତଃ ନୂଆ ସରକାରରେ ତାହା ଘଟିବ ନାହିଁ ! କୃଷକମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ । କିନ୍ତୁ ପ୍ରତିଥର ଭଳି ଏଥର ବି ଟୋକେନ୍, ମଣ୍ଡି, ମିଲର୍ସ ଘଟଣାରେ ଚାଷୀ ହନ୍ତସନ୍ତ ହେବା ଦେଖିବାକୁ ମିଳିଲା । ଯଦିଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ନିଷ୍ପତ୍ତିରେ ଉତ୍ସାହ ଦେଖାଦେଇଛି କିନ୍ତୁ ମଣ୍ଡି ପ୍ରସଙ୍ଗରେ ରାଜ୍ୟର ପ୍ରାୟ ସମସ୍ତ ଅଂଚଳରୁ ଚାଷୀଙ୍କ ଆନ୍ଦୋଳନ, ଅସନ୍ତୋଷ, ପ୍ରତିବାଦ, ରାସ୍ତା ଅବରୋଧ, ଅନଶନର ଚିତ୍ର ବାରମ୍ବାର ସାମ୍ନାକୁ ଆସିଛି । ଯେଉଁଥିପାଇଁ ସରକାର ସିନା ବଦଳିଲା ହେଲେ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବଦଳିଲାନି ବୋଲି କୁହାଯାଉଛି । ନବୀନ ସରକାରରେ ମୁଖ୍ୟ ବିରୋଧୀଦଳର ଦାୟିତ୍ୱ ନିର୍ବାହ କରୁଥିବା ବିଜେପି ରାଜ୍ୟରେ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଛି । ମଣ୍ଡି ଅବ୍ୟବସ୍ଥା, କଟଣୀ ଛଟଣୀ, ଟୋକେନ ଲାପ୍ସ, ମିଲର୍ସ ମନମାନୀ ପ୍ରସଙ୍ଗରେ ବିଧାନସଭା ଭିତରେ ଏବଂ ବାହାରେ ସରକାରଙ୍କୁ ଘେରିଛି । ତେଣୁ ଏହାକୁ ଦେଖି ନିର୍ବାଚନୀ ପ୍ରତିଶ୍ରୁତି ପ୍ରସ୍ତୁତ କରିଥିଲା ପଦ୍ମଦଳ । ବିଜେପି କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ସବୁ ଧାନ ସରକାର କିଣିବେ । କୌଣସି କଟଣୀ ଛଟଣୀ ହେବ ନାହିଁ । ଧାନର ସର୍ବନିମ୍ନ ସହାୟକ କ୍ୱିଂଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ । ଚାଷୀର ରୋଜଗାର ୩ଗୁଣ ବଢିବ । ପ୍ରତି ବ୍ଲକରେ ଶୀତଳଭଣ୍ଡାର ହେବ । ଚାଷୀର ସମସ୍ତ ଜମି ଜଳସେଚନ କରାଯିବ । କୃଷକ ସମ୍ମାନ ଭତ୍ତା ସହିତ ଚାଷୀଙ୍କୁ ପାଂଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପଦାନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୀଟ, ପକ୍ଷୀ, ପଶୁଙ୍କ ଦ୍ୱାରା କ୍ଷତିଗସ୍ତ ଚାଷୀଙ୍କୁ ଶତପ୍ରତିଶତ କ୍ଷତିପୂରଣ ମିଳିବ ବୋଲି ଦିଆଯାଇଥିଲା ପ୍ରତିଶ୍ରୁତି । ଓଡିଶାରେ ନୂଆ ସରକାର ଆସିବାର ଗତ ୯ ମାସ ମଧ୍ୟରେ ଚାଷୀର ପ୍ରଥମ ଖରିଫ ସମୟକୁ ସାମ୍ନା କରିଛନ୍ତି । କ୍ଷେତରୁ ମଣ୍ଡି ଯାଏଁ ସବୁଠି ଗଦା ଗଦା ସମସ୍ୟାର ଅଭିଯୋଗ ଆଣିଛନ୍ତି ଚାଷୀ । ନିଅଣ୍ଟିଆ ବର୍ଷା ଏବଂ ମରୁଡି ସ୍ଥିତି ପରେ ଅଚାନକ ଅମଳ ସମୟରେ ୮ ଦିନଧରି ଅଦିନିଆ ବର୍ଷା ଯୋଗୁ ରାଜ୍ୟର ଷୋହଳଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଦେଖାଦେଲା । ଆଖିଆଗରେ ବର୍ଷକର ଅମଳ ବର୍ଷା ପାଣିରେ ଡୁବିବାର ହଦୟବିଦାରକ କଷ୍ଟକୁ ସହିନପାରି କେତେକ ଚାଷୀ ଜୀବନ ହାରିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀ, ଅଧିକାରୀ ବିଭିନ୍ନ ଜିଲ୍ଲା ଗସ୍ତକରି ଫସଲ କ୍ଷୟକ୍ଷତି ବୁଲି ଦେଖିଲେ । ପାଖାପାଖି ୬ ଲକ୍ଷ ଚାଷୀ କ୍ଷତି ସହିଥିବାବେଳେ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଲେ । ଏଥିପାଇଁ ୨୯୨ କୋଟିର କ୍ଷତିପୂରଣ ରାଶି ଷୋଷଣା କଲେ । ତେବେ ଅଦିନିଆ ବର୍ଷା ଆରମ୍ଭରୁ ଫସଲ କ୍ଷୟକ୍ଷତି ନେଇ ଯଦି ସରକାର ଆଗୁଆ ଘୋଷଣା କରିଥାନ୍ତେ ତେବେ ଆତ୍ମହତ୍ୟାରେ ପ୍ରାଣ ହରାଇଥିବା ଚାଷୀ ହୁଏତ ଆଜି ବଞ୍ଚିଥାନ୍ତେ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟାପକ ମଣ୍ଡି ଅବ୍ୟବସ୍ଥା, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ, ଉତ୍ତେଜନା, ପ୍ରତିବାଦ ରାସ୍ତାରୋକ ଆଦି ଘଟଣା ସାମ୍ନାକୁ ଆସିବାରେ ଲାଗିଛି । କେଉଁଠି ଶହ ଶହ କ୍ୱିଂଟାଲ ଧାନ ବସ୍ତା ଥୋଇ ମିଲରଙ୍କ ବାଟକୁ ଅନାଇ ବସିଛି ଚାଷୀ, ଆଉ କେଉଁଠି ମଣ୍ଡି ବଦଳରେ ଧାନବସ୍ତା ଥୋଇ ରାସ୍ତା ଅବରୋଧ କରି ପ୍ରତିବାଦ କରୁଛି ଚାଷୀ। ପ୍ରାୟ ୮ରୁ ପନ୍ଦର କେଜି ଧାନ ମିଲର କାଟୁଥିବା ଅନେକ ସ୍ଥାନରେ ଅଭିଯୋଗ ହେଉଥିବା ବେଳେ, ପୁଣି କେଉଁଠି ଏଫ୍ଏକ୍ୟୁ ମାନ ଖରାପ ଦର୍ଶାଇ ଧାନ ଫେରାଇଦେଉଛନ୍ତି ମିଲର୍ସ । ଉପକୂଳରୁ ଉପାନ୍ତ, ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ପୁଳା ପୁଳା ଅଭିଯୋଗ ଗତ ଏକମାସରୁ ଅଧିକ ଦିନ ହେବ ଗଣମାଧ୍ୟମର ପୃଷ୍ଠାରେ ଦେଖିବାକୁ ମିଳୁଛି । ତେବେ ଗୋଟେପଟେ ଚାଷୀ ଅସହାୟ ହୋଇ ପଡି ରହିଥିବା ବେଳେ ଲୋକଙ୍କ ସରକାରଙ୍କ ନିଦ କେବେ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା ।