କେବେ ସରିବ ରାସନକାର୍ଡ ଇକେଓ୍ବାଇସି ପ୍ରକ୍ରିୟା । ନୂଆ ରାସନକାର୍ଡ କେବେଠୁ ବାଣ୍ଟିବେ ସରକାର । ରାସନକାର୍ଡରେ ସାମିଲ ହେବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ହିତାଧିକାରୀ । କିନ୍ତୁ ଡବଲ ଇଞ୍ଜିନ ସରକାରଙ୍କ ବିଳମ୍ବିତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ହେଲେଣି ଜନତା । ସେପଟେ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କିଲୋ ଖାଦ୍ୟଶସ୍ୟ ମଧ୍ୟରୁ ୪ କିଲୋ ଚାଉଳ ଓ ଏକ କିଲୋ ଗହମ ବଣ୍ଟନ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କଲେ। ଖାଉଟିଙ୍କୁ ୨/୩ ମାସ ପର୍ଯ୍ୟନ୍ତ କେବଳ ୪ କିଲୋ ଲେଖାଏଁ ଚାଉଳ ମିଳିଲା ସିନା, ଡିଲର ଗହମ ଦେଲେ ନାହିଁ। ଯୋଗାଣମନ୍ତ୍ରୀ ନଭେମ୍ବର, ଡିସେମ୍ବର, ଜାନୁଆରୀ କହି କହି ଫେବ୍ରୁଆରୀ ହେଲା ସିନା ଗହମ ମିଳିଲା ନାହିଁ। ଗୋଦାମରେ ଗଦା ହୋଇଥିବା ୨୦ ହଜାର ଟନ୍ ଗହମ ଫିମ୍ପି ମାରିଗଲା। ଶେଷରେ ମାର୍ଚ୍ଚ ମାସରୁ ଆଉ ଖାଉଟିଙ୍କୁ ଗହମ ଦିଆଯାଇ ପାରିବ ନାହିଁ, କେବଳ ଚାଉଳ ବଣ୍ଟନ କରାଯିବ ବୋଲି ଏବେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡବଲ ଇଞ୍ଜିନ୍ ସରକାରଙ୍କ ଏହି ଡବଲ ଦୁଃଖ ଏବେ ଖାଉଟିଙ୍କୁ କଷ୍ଟ ଦେଇଛି। ବଜାରରେ ଅଟା କିଲୋ ୪୦ରୁ ୫୦ ଟଙ୍କାେର ବିକ୍ରି ହେଉଥିବା ବେଳେ ହିତାଧିକାରୀଙ୍କ ପିଛା ମାସିକ ଏକ କିଲୋ ଗହମ ଯୋଗାଇବାରେ ବି ସରକାର ଅସମର୍ଥ। ଗହମ ଦର ବୃଦ୍ଧି ପରେ ଅଟା ଦର ଉପରମୁହାଁ। ଅଟା କିଲୋ ୪୦ ଟଙ୍କା ଉପରେ। ଓଡ଼ିଶାରେ ଅଧିକାଂଶ ଲୋକ ରାତି ସମୟରେ ରୁଟି ଖାଇବାରେ ଅଭ୍ୟସ୍ତ ହେଉଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ପାଇଁ ଆଶା ବାନ୍ଧିଥିଲେ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଖାଉଟି ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯୋଗାଣମନ୍ତ୍ରୀ ନଭେମ୍ବର ମାସରୁ ଖାଉଟିଙ୍କୁ ଗହମ ପ୍ରଦାନ କରାଯିବ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ମାସ ପରେ ମାସ ଗଡ଼ି ଜାନୁଆରୀରେ ଗହମ ମିଳିବ ବୋଲି କହିଲେ। ମାତ୍ର ଏବେ ପୁଣି ବିଧାନସଭାରେ ଯୋଗାଣମନ୍ତ୍ରୀ ବର୍ତ୍ତମାନ ରାଜ୍ୟରେ ଖାଉଟିଙ୍କୁ ଆଉ ଗହମ ମିଳିବ ନାହିଁ ବୋଲି ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ଅରୁଣ କୁମାର ସାହୁ ବିଧାନସଭାରେ ରାଜ୍ୟର ହିତାଧିକାରୀଙ୍କୁ କେବେ ଗହମ ମିଳିବ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଜାନୁଆରୀ ମାସରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହିତ ଗହମ ଦିଆଯିବ ବୋଲି ଘୋଷଣା କରାଯାଇଥିଲା; କିନ୍ତୁ ଜାନୁଆରୀ ଓ ଫେବୃଆରୀର ସାମଗ୍ରୀ ବିତରଣ ସରିଥିଲେ ମଧ୍ୟ ଗହମ ମିଳିଲା ନାହିଁ। ତେଣୁ ଗହମ ଦିଆଯିବ କି ନାହିଁ ଏବଂ ଯଦି ଦିଆଯିବ କେବେଠାରୁ ଦିଆଯିବ ବୋଲି ଶ୍ରୀ ସାହୁ ଯୋଗାଣମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ଗହମ ବଣ୍ଟନ ପ୍ରକ୍ରିୟା ସ୍ଥଗିତ ରଖାଯାଇ ଖାଉଟିଙ୍କୁ ଶତପ୍ରତିଶତ ଚାଉଳ ଯୋଗାଣ ହେଉଛି ବୋଲି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଚାଉଳ ସହିତ ଗହମ ବିତରଣ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)ରୁ ଗହମ ଉଠାଣ ପାଇଁ କୌଣସି ପରିବହନ ବ୍ୟବସ୍ଥା ହୋଇପାରି ନାହିଁ। ତେଣୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ଗହମ ବଣ୍ଟନ ପ୍ରକ୍ରିୟା ସ୍ଥଗିତ ରଖାଯାଇ ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଦିଆଯାଉଛି। ଆସନ୍ତା ମାର୍ଚ୍ଚ ମାସ ଠାରୁ ଖାଉଟି ମାନଙ୍କୁ ସମ୍ପୂର୍ଣ୍ଣ ଚାଉଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆବଣ୍ଟନ ପତ୍ର ଜାରି କରିଛନ୍ତି। ତେବେ ଗହମ ରାସନକାର୍ଡରେ ଗହମ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରାସନକାର୍ଡ ଧାରୀ । ଡବଲ ଇଞ୍ଜିନ ସରକାର ଲୋକଙ୍କ ସମସ୍ୟା ଦୂର କରିବା ନୁହେଁ ସମସ୍ୟା ବଢାଇବାକୁ ଆସିଛି ବୋଲି ଚର୍ଚ୍ଚା ହେଉଛି ।