ଓଡିଶାକୁ ଋଣରେ ବୁଡାଇଦେବ ବିଜେପି । 9 ମାସରେ କଲାଣି 90 ହଜାର କୋଟି ବାକି । ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ବଢିଲା ଚର୍ଚ୍ଚା । ବିଧାନସଭାରେ ବଜେଟର ସାଧାରଣ ଆଲୋଚନାରେ ବିଜେପି ସରକାର ବଜେଟ ଅର୍ଥ ଖର୍ଚ୍ଚ କରିପାରୁନଥିବା ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । କହିଲେ ପାଞ୍ଚ ବର୍ଷରେ ଓଡ଼ିଶାରେ କଳାକନା ବୁଲାଇ ଦେବ ବିଜେପି ସରକାର । ବିଜେପି ସରକାର ତାଙ୍କ ପ୍ରଥମ ବଜେଟ୍ ୪୩ ହଜାର କୋଟି ଓ ଏ ବର୍ଷ ବଜେଟ୍ରେ ୪୭ ହଜାର କୋଟି ଋଣ କରିଛନ୍ତି । ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ୯୪ ହଜାର କୋଟି ଥିଲା। ମାତ୍ର ବିଜେପି ସରକାର ୯ ମାସରେ ୯୦ ହଜାର କୋଟି ଟଙ୍କା ଋଣ କଲେଣି। ଯାହା ଦେଖିଲେ ଲାଗୁଛି ପାଞ୍ଚ ବର୍ଷରେ ଏ ବିଜେପି ସରକାର ଓଡ଼ିଶାରେ କଳାକନା ବୁଲାଇ ଦେବ ବୋଲି ରାଜା ସ୍ବାଇଁ କହିଛନ୍ତି । ସେପଟେ ଗତ ବଜେଟର ମାତ୍ର ୪୦ ପ୍ରତିଶତ ଅର୍ଥ ଏଯାଏଁ ଖର୍ଚ୍ଚ କରିଛନ୍ତି ସରକାର। ପୂର୍ବ ବଜେଟର ଅର୍ଥ ଖର୍ଚ୍ଚ ନକରି ପାରିବା ମଧ୍ୟ ଏ ସରକାରର ପାଣିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି। ବଜେଟରେ ଦୁଇଟି ବଡ ସମସ୍ୟା ବେକାରୀ ଓ ଦରଦାମ ବୃଦ୍ଧିକୁ ଏ ସରକାର ଆଡ଼ ଆଖିରେ ମଧ୍ୟ ଦେଖିନାହାନ୍ତି। ଏ ସରକାର ପଙ୍ଗୁ ସରକାର । ତଥ୍ୟ ଲୁଚାଉଛନ୍ତି, ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସେପଟେ e-kyc ଜରିଆରେ ଗରିବ ପେଟକୁ ଲାତ୍ ମାରୁଛନ୍ତି ଏ ସରକାର। ପ୍ରତି ନିର୍ବାଚନୀ ମଣ୍ଡଳୀରେ ନବୀନ ପଟ୍ଟନାୟକ ଯାହାକୁ ଖାଦ୍ୟ ଦେଇଥିଲେ ତମେ ତାଙ୍କର ଖାଦ୍ୟ ବନ୍ଦ କରୁଛନ୍ତି । ମିଶନ ଶକ୍ତିରେ ୭୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ। ୭୬ ପ୍ରତିଶତ ସାଧାରଣ ପ୍ରଶାସନ ବିଭାଗ, ୬୦ ପ୍ରତିଶତ ଆଇନ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ରେ ୫୦ ପ୍ରତିଶତ , ଜଳ ମିଶନରେ ୩୦ ପ୍ରତିଶତ ଖର୍ଚ୍ଚ ହୋଇଛି । କେବଳ ବଡ ବଜେଟ୍ କରି ହେଡଲାଇନ୍ ମ୍ୟାନେଜମେଣ୍ଟ କରୁଛନ୍ତି ଏ ସରକାର । ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେପି ୨୪ ବର୍ଷର ସରକାରକୁ ଢାଲ କରୁଛନ୍ତି। କୁଆଡେ ଗଲା ୩୦୦ ୟୁନିଟ ମାଗଣା ବିଜୁଳି ବୋଲି ବଜେଟ ଆଲୋଚନାରେ ଭାଗ ନେଇ ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ।