୧୧୯ଟି ଆପ୍ ବ୍ୟାନ୍ କଲେ ଭାରତ ସରକାର । ସରକାର ୧୧୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା କିଛି ରିପୋର୍ଟରେ ଦାବି କରାଯାଇଛି । ଏଗୁଡ଼ିକ ସମସ୍ତ ଭିଡିଓ ଏବଂ ଭଏସ୍ ଚାଟ୍ ପ୍ଲାଟଫର୍ମ, ଯାହାର ଚୀନ୍ ଏବଂ ହଂକଂ ସହିତ ଲିଙ୍କ୍ ରହିଛି । ସୁରକ୍ଷା ଦୃଷ୍ଟିରୁ ସରକାର ଏହା ପୂର୍ବରୁ ମଧ୍ୟ ଅନେକ ଆପକୁ ବ୍ୟାନ୍ କରିଛନ୍ତି । ବହୁ ସଂଖ୍ୟକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ।
ସେହି ସମୟରେ ଟିକଟକ୍ ଏବଂ ସେୟାରଇଟ୍ ଭଳି ଚୀନ୍ ଆପକୁ ବ୍ୟାନ୍ କରାଯାଇଥିଲା । ଏହି ଦୁଇଟି ଆପ୍ ବହୁତ ଲୋକପ୍ରିୟ ଥିଲା । ସୁରକ୍ଷା ଦୃଷ୍ଟିରୁ ଏହି ଦୁଇଟି ଆପକୁ ବ୍ୟାନ୍ କରାଯାଇଥିଲା । ୨୦୨୦ ଜୁନ୍ ୨୦ରେ ଭାରତ ସରକାର ପାଖାପାଖି ୧୦୦ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।
ଏହାପରେ ସରକାର ୨୦୨୧ ଏବଂ ୨୦୨୨ରେ ମଧ୍ୟ ଅନେକ ଆପକୁ ବ୍ୟାନ୍ କରିଥିଲେ । କିନ୍ତୁ ଏହାର ସଂଖ୍ୟା କମ୍ ଥିଲା । ରିପୋର୍ଟ ଅନୁସାରେ, ଏହି ଆପଗୁଡ଼ିକୁ ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟର ଧାରା 69A ଅନୁଯାୟୀ ନିଷିଦ୍ଧ କରାଯାଇଛି, ଯାହାର ପ୍ରଭାବ ସିଙ୍ଗାପୁର, ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆର ଆପ୍ ଉପରେ ମଧ୍ୟ ପଡ଼ିଛି ।
ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ତାଲିକାର ଅଧିକାଂଶ ଆପ୍ ଏବେ ବି ଗୁଗଲ୍ ପ୍ଲେ ଷ୍ଟୋରରେ ଡାଉନଲୋଡ୍ ପାଇଁ ଉପଲବ୍ଧ ରହିଛି । କେବଳ ୧୫ଟି ଆପକୁ ରିମୁଭ୍ କରାଯାଇଛି । ଏହି ୧୧୯ଟି ଆପ୍ ତାଲିକାରେ କେବଳ ତିନୋଟିକୁ ଚିହ୍ନଟ କରାଯାଇଛି । ଏଥିରେ ସିଙ୍ଗାପୁରସ୍ଥିତ ଭିଡିଓ ଚାଟିଂ ଏବଂ ଗେମିଂ ଆପ୍ ‘ChillChat’ ରହିଛି, ଯାହାକୁ Mangostar Team ବିକଶିତ କରିଛି ।