ସରକାର ବଦଳୁଛି ମାତ୍ର ଚାଷୀର ସମସ୍ୟା ଦୂର ହେଉନି । କଟକନୀ ଛଟନୀ ଦୁଃଖରୁ ବାହାରି ପାରୁନି ଚାଷୀ । ଧାନ ଅମଳ ପରେ ଧାନ ବିକ୍ରି ନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ । ସେପଟେ ପୂର୍ବପରି ଦଲାଲ ଉଠାଉଛି ଲାଭ । ସାରା ରାଜ୍ୟରେ ଚାଲିଛି ଧାନର କଟନୀ ଛଟନୀ । ବିଧାନସଭାରେ ରହସ୍ୟର ଖୁଲାସା କଲା କଂଗ୍ରେସ। ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି କଟନୀ ଛଟନୀ । ମିଲର ପିଛା ୧ ଲକ୍ଷ ଟଙ୍କା ମନ୍ତ୍ରୀଙ୍କ ପାଖକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ପ୍ରମାଣ ସ୍ବରୂପ ସିଡି, ଫଟୋ, କାଗଜପତ୍ର ଦେଖାଇ ଯୋଗାଣ ମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ଏହାସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଗୃହରେ ଦାବି କରିଛି କଂଗ୍ରେସ । ଅନ୍ୟପଟେ ଚାଷୀଙ୍କୁ ଶୋଷଣ ନେଇ ସରକାରଙ୍କୁ ଘେରିଛି ବିଜେଡି । ତେବେ ବିରୋଧୀଙ୍କ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଥିବା ବେଳେ, ହୁଲୁସ୍ତୁଲ ହୋଇଛି ବିଧାନସଭା । ଧାନ କିଣାରେ କଟନୀ ଛଟନୀକୁ ନେଇ ବିଧାନସଭାରେ ହୁଲସ୍ତୁଲ । ଧାନ କିଣାରେ ଚାଷୀଙ୍କୁ ଲୁଟୁଛନ୍ତି ସରକାର l ମୁଲତବି ପ୍ରସ୍ତାବ ଆଲୋଚନାରେ ସିଡି, ଫଟୋ, ମନ୍ତ୍ରୀଙ୍କ ଦସ୍ତଖସ୍ତ ଥିବା ଚିଠି ଦେଖାଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିପରି ଧାନ କିଣାରେ ଟଙ୍କା ନେଉଛନ୍ତି ତାହା ବଖାଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସିଧାସଳଖ ଅଭିଯୋଗ କରି କହିଛନ୍ତି, ଯୋଗାଣ ମନ୍ତ୍ରୀ ରାଜନୈତିକ ସଚିବ ନିଯୁକ୍ତ କରି ମିଲ ପିଛା ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି । ସିଡିରେ ରହିଛି ବାବୁ ଜଣକ ଟଙ୍କା ମାଗିବାର ତଥ୍ୟ । ଗୃହରେ ତାରାଙ୍କ ଅଭିଯୋଗ ପରେ ବିଧାନସଭାରେ ସୃଷ୍ଟି ହୋଇଛି ହଇଚଇ । ରାଜ୍ୟରେ ଧାନକିଣା ନାଁରେ ଚାଲିଛି କଂସ ରାଜୁତି । ତେଣୁ ପୂରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ସେହିପରି ଧାନର କଟନୀ ଛଟନୀକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସାରା ରାଜ୍ୟରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି ବୋଲି ଅଭିଯୋଗ କରିଛି ବିଜେଡି । ଧାନ କିଣା ପ୍ରସଙ୍ଗକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ଜଣେ ପରେ ଜଣେ ବିଧାୟକ । ବିଜେଡି ବିଧାୟକ ଗଣେଶ୍ବର ବେହେରା ଅଭିଯୋଗ କରି କହିଛନ୍ତି, କାହା ପ୍ରତି ସରକାରଙ୍କର ରହିଛି ପ୍ରତିବଦ୍ଧତା । ସରକାର ନା ମିଲରଙ୍କ ପାଇଁ । ମୁଖ୍ୟମନ୍ତ୍ରୀ ସୋହେଲା ସମାବେଶରେ କହିଥିଲେ, ଯିଏ ଦୁର୍ନୀତି କରିବ ତାକୁ ଝାରପଡା କିମ୍ବା ବରଗଡ଼ ଜେଲ ଦେଖିବାକୁ ପଡ଼ିବ । ତେବେ ଏଯାଏଁ କେତେ ଜଣଙ୍କୁ ଝାରପଡା ଓ ବରଗଡ଼ ଜେଲରେ ପୂରାଇଛନ୍ତି ତାର ତଥ୍ୟ ଦିଅନ୍ତୁ ସରକାର । କୁଇଣ୍ଟାଲ ପିଛା କେଜି କେଜି ଧାନ କଟାଯାଉଛି । ଧାନରେ ଆର୍ଦ୍ରତା, ଡିସକଲର ଓ ଶୁଦ୍ଧତା କେତେ ପ୍ରତିଶତ କଟିବା କଥା, ତାହା ଯୋଗାଣ ନିଗମ ଏବଂ ଧାନ କିଣୁଥିବା ସଂସ୍ଥା ଜାଣିଛନ୍ତି । କିନ୍ତୁ ଏ ବିଷୟରେ ଚାଷୀଙ୍କୁ କାହିଁକି ଅବଗତ କରାଯାଉନାହିଁ ବୋଲି ଗଣେଶ୍ବର ପ୍ରଶ୍ନ କରିଛନ୍ତି । ଏହାସହ ଗୃହ କମିଟି ଦ୍ବାରା ଘଟଣାର ତଦନ୍ତ କରିବାକୁ ଦଳ ଦାବି କରିଛି । ସେପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ । ଚଳିତ ଖରିଫ ଋତୁରେ ୧୭ ତାରିଖ ସୁଦ୍ଧା ୧୩ ଲକ୍ଷ ୫୭ ହଜାର ୨୨୪ ଜଣ ଚାଷୀଙ୍କଠାରୁ ୬୧ ଲକ୍ଷ ୬୭ ହଜାର ୪୮୮ ମେଟ୍ରିକ ଟନ ଧାନ କିଣାଯାଇ ଥିବା ମନ୍ତ୍ରୀ କହିଛନ୍ତି । ଏଫଏକ୍ୟୁ ଆଳରେ ଚାଷୀଙ୍କୁ କରାଯାଉଛି ଶୋଷଣ । ଯାହାକୁ ନେଇ ଅନ୍ନଦାତାଙ୍କ ଭିତରେ ତେଜିବାରେ ଲାଗିଛି ଅସନ୍ତୋଷ । ଏଭଳି ସ୍ଥିତିରେ ତାରାଙ୍କ ପ୍ରମାଣ ଏବେ ଯୋଗାଣ ମନ୍ତ୍ରୀଙ୍କୁ ଅଡୁଆ ଭିତରକୁ ଟାଣି ଆଣିଛି ।