ଦିଲ୍ଲୀରେ କେଜ୍ରିଓ୍ବାଲଙ୍କୁ ଲାଗିଲା ଶକ୍ତ ଝଟକା। ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଆଶ୍ଚର୍ଯ୍ୟ ଜନତା । ୨୭ ବର୍ଷ ପରେ ପୁଣି ଜାତୀୟ ରାଜଧାନୀ ଦିଲ୍ଲୀରେ କ୍ଷମତାକୁ ଫେରୁଛି ବିଜେପି । ସବୁଠୁ ବଡ଼ କଥା ହେଉଛି, ପୁଣି ଥରେ ସରକାର ଗଠନ କରିବାକୁ ଦାବି କରିଆସୁଥିବା ଅରବିନ୍ଦ କେଜ୍ରିଓ୍ବାଲ ଓ ତାଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ପରାଜୟ ସାମ୍ନା କରିଛନ୍ତି । ତେବେ ଏହାରି ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ, ଦିଲ୍ଲୀରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ? ବିଜେପିର ସିଏମ ରେସରେ ଅନେକ ନାଁ ଥିବା ଚର୍ଚ୍ଚା ହେଉଛି । ସବୁଠୁ ଆଗରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହରାଇଥିବା ପରଭେଶ ବର୍ମା । ପରବେଶ ବର୍ମା ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ବୋଲି କୁହାଯାଉଛି। ଯଦିଓ ଏପର୍ଯ୍ୟନ୍ତ ସେ ଏହାକୁ ଅସ୍ୱୀକାର କରିଆସୁଛନ୍ତି। ଅନ୍ୟପଟେ ବିଜେପି ସାଂସଦ ମନୋଜ ତିୱାରୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହାସହ ପୂବର୍ତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ମଧ୍ୟ ରେସରେ ଥିବା କୁହାଯାଉଛି । ଅନ୍ୟପଟେ ଆପର ଫାୟାରବ୍ରାଣ୍ଡ ନେତା ମନୀଷ ସିସୋଦିଆଙ୍କୁ ହରାଇଥିବା ବିଜେପିର ତରଭିନ୍ଦର ସିଂ ମାରଓ୍ବା ମଧ୍ୟ ସିଏମ ରେସରେ ଥିବା କୁହାଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି, ଗତ କିଛି ନିର୍ବାଚନରେ, ନୂଆଦିଲ୍ଲୀ ଆସନରୁ ଜିତିଥିବା ନେତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲ ୨୦୧୩, ୨୦୧୫ ଏବଂ ୨୦୨୦ରେ ଏହି ଆସନରୁ ଜିତିଥିଲେ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୧୩ରେ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରିଥିଲେ । ଏହି ଆସନରୁ ଶୀଲା ଦୀକ୍ଷିତ ଥରେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ଗୋଲ ମାର୍କେଟ୍ ଆସନରୁ ଦୁଇଥର ନିର୍ବାଚିତ ହୋଇଥିଲେ। ତା’ପରେ ସେ ମୁଖ୍ୟମନ୍ତ୍ରୀ ହେଲେ। ୨୦୦୮ ମସିହାରେ ସୀମା ନିର୍ଦ୍ଧାରଣ ପରେ ଗୋଲ ମାର୍କେଟ୍ ଆସନଟି ପରିବର୍ତ୍ତନ ହୋଇ ନୂଆ ଦିଲ୍ଲୀ ରଖାଗଲା।
ସେପଟେ ନିର୍ବାଚନରେ ବିଜୟୀ ହେବା ପରେ, ପରବେଶ ବର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପାଇଁ ପହଞ୍ଚିଥିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ଆଲୋଚନା ହୋଇଥିବା ବିଶ୍ୱାସ କରାଯାଉଛି । ଅରବିନ୍ଦ କେଜରିୱାଲ ନିର୍ବାଚନ ପ୍ରଚାର ସମୟରେ ବର୍ମାଙ୍କ ଉପରେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣିଥିଲେ ତେଣୁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଜୟ ପରେ, ପରବେଶ ବର୍ମା X ରେ ଜୟ ଶ୍ରୀ ରାମ ଲେଖିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, “ଏହି ସରକାର ଯାହା ଗଠନ ହେଉଛି ତାହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଦିଲ୍ଲୀ ଆସିବ । ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀବାସୀଙ୍କ ବିଜୟ।”