ଆଜି ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଇନ୍ଦ୍ରପାଳ କଣ୍ଟାଗୋଠ ଗ୍ରାମର ଶତାଧିକ ଲୋକ ଧାରଣା ଦବା ସହ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ବିରୋଧ ରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ କିଛି ଦିନ ହେବ ସେମାନଙ୍କ ଗ୍ରାମର ଏକ ଗ୍ରାମ୍ୟ ଜମିକୁ କେହି ଜଣେ ଲୋକ ଅକ୍ତିଆର କରି ସେଠାରେ ବେଆଇନି ରାସ୍ତା ନିର୍ମାଣ କରିଥିଲେ । ଉକ୍ତ ବେଆଇନି ରାସ୍ତା ବାବଦରେ ସେମାନେ କିଛି ଦିନ ତଳେ ତହସିଲଦାରଙ୍କ ପାଖରେ ଅଭିଯୋଗ କଲା ପରେ ବାଲିଅନ୍ତା ତହସିଲଦାର ଘଟଣା ସ୍ଥଳ ରେ ମାପଚୁପ କରି ସମ୍ପୃକ୍ତ ରାସ୍ତାକୁ ଭାଙ୍ଗିବା ସହ ସେଠାରେ ସରକାରଙ୍କ ଜମି ବୋଲି ବୋର୍ଡ଼ ମାରିଥିଲେ।
ହେଲେ ଏବେ ପୁଣି ଥରେ ସରକାର ଙ୍କ ସେ ବୋର୍ଡ କୁ ହଟେଇ କେହି ପୁଣି ସେଠାରେ 50 ଫୁଟର ରାସ୍ତା ନିର୍ମାଣ କରିଛି । ଘଟଣା ବିଷୟରେ ସମସ୍ତ ଗ୍ରାମବାସୀ ବାରମ୍ବାର ତହସିଲଦାରଙ୍କ ଦ୍ୱାରସ୍ଥ ହେଇଥିଲେ ମଧ୍ୟ ତହସିଲଦାର ଶୁଣୁ ନଥିବା କଥା ଅଭିଯୋଗ ହେଇଚି । ଏମିତିକି ସମ୍ପୃକ୍ତ ତହସିଲଦାର ମାସରେ 5-6 ଦିନ ଅଫିସ ଆସି ବାକି ଦିନ ଆସୁନଥିବାରୁ ସେମାନେ ଯେତେବେଳେ ତହସିଲ କାର୍ଯ୍ୟାଳୟକୁ ଆସୁଛନ୍ତି ତହସିଲଦାର ବିମଳ ଲେଙ୍କାଙ୍କ ଭେଟ ନ ପାଇ ଚାଲି ଯାଉଥିବା କଥା ଅଭିଯୋଗ କରିଛନ୍ତି।
ଆଜି ତହସିଲଦାର ସେମାନଙ୍କୁ ଡକେଇଥିଲେ ଓ ସେମାନଙ୍କୁ ଡକେଇ ନିଜେ ଆସିନଥିବା ଦେଖିବାକୁ ମିଳିଛି। ତେଣୁ ସେମାନେ ତହସିଲଦାର ଙ୍କ ଅପେକ୍ଷା ରେ ତଳେ ବସିଥିବା କଥା କହିଛନ୍ତି।