ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ବିଧାନସଭା ନିର୍ବାଚନକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢୁଛି। ଦିଲ୍ଲୀରେ ଚାଲିଛି ଏବେବି କେଜ୍ରିଓ୍ବାଲ ହାଓ୍ବା। ପୁଣି ଦିଲ୍ଲୀ ଦଖଲ କରିବ କି ଆମ ଆଦମୀ ପାର୍ଟି !ଏଭଳି ପ୍ରଶ୍ନ ମନରେ ଆସୁଛି। ଦଳ ଗଠନ ପରଠୁ ସବୁଠୁ ବଡ଼ ପରୀକ୍ଷା ଦେଉଛି ଆପ୍ । ଦୁଇଥର ବିଜୟ ପରେ ଏଥର ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ କରୁଛି ଆମ ଆଦମି ପାର୍ଟି। ଦିଲ୍ଲୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ତ୍ରିକୋଣୀୟ ମୁକାବିଲା।
ଏହାରି ଭିତରେ ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ପ୍ରତ୍ୟାହାର। ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଅତିରିକ୍ତ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ପଞ୍ଜାବ ପୋଲିସ। ଦିଲ୍ଲୀ ପୋଲିସର ଆପତ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଆପତ୍ତି ଉଠାଇଥିଲା ଦିଲ୍ଲୀ ପୋଲିସ। ଏହାପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ପଞ୍ଜାବ ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଉଥିଲା। ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କେଜ୍ରିୱାଲଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ । ତେବେ ସୁରକ୍ଷା ବ୍ୟବସ୍ଥା ହଟିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ପଞ୍ଜାବ ପୋଲିସ ଡିଜି।
ସେପଟେ ଜୋରଜବରଦସ୍ତ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା କହିଛନ୍ତି ଆପ ନେତା ସଂଜୟ ସିଂହ । ନିର୍ବାଚନ କମିଶନ ଏବଂ ଦିଲ୍ଲୀ ପୋଲିସର ଆପତ୍ତି ପରେ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଯାଆଇଛି । ସେପଟେ ସୁରକ୍ଷା ପ୍ରସଙ୍ଗରେ ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାଣିଶୁଣି ଦିଲ୍ଲୀ ପୋଲିସ ତାଙ୍କର ନିର୍ବାଚନ ଶୋଭାଯାତ୍ରାରେ ବିରୋଧୀଙ୍କୁ ପଶିବାକୁ ସୁଯୋଗ ଦେଇଥିଲା । ଏବଂ ଏଥିଯୋଗୁ ବିରୋଧୀ ତାଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।