ଦିଲ୍ଲୀରେ ଚାଲିଛି ଏବେବି କେଜ୍ରିଓ୍ବାଲ ହାଓ୍ବା । ପୁଣି ଦିଲ୍ଲୀ ଦଖଲ କରିବ କି ଆମ ଆଦମୀ ପାର୍ଟି ! ଦଳ ଗଠନ ପରଠୁ ସବୁଠୁ ବଡ଼ ପରୀକ୍ଷା ଦେଉଛି ଆପ୍ । ଦୁଇଥର ପ୍ରଚଣ୍ଡ ବିଜୟ ପରେ ଏଥର ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ କରୁଛି ଆପ୍ । ଦିଲ୍ଲୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି । ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଆମ ଆଦମୀ ପାର୍ଟି ୨୦୧୩ରେ ପ୍ରଥମ ନିର୍ବାଚନ ଲଢିଥିଲା । କଂଗ୍ରେସ ସହଯୋଗରେ ୪୯ଦିନ ମୁଖ୍ୟମନ୍ତ୍ରୀ ହୋଇଥିଲେ କେଜ୍ରିଓ୍ବାଲ । ଏହାପରେ ୨୦୧୫ ଓ ୨୦୨୦ ବିଧାନସଭାରେ ବଡ଼ ବିଜୟ ହାସଲ କରିଥିଲା ଆପ୍ । ଏଥର ନିର୍ବାଚନ ଆପ୍ ପାଇଁ ଅଗ୍ନିପରୀକ୍ଷା ହୋଇଥିଲେ ବି ଦଳ ପାଇଁ ବିଜୟ ଆଣିପାରେ ଏସବୁ କାରଣ । ୭୦ ବିଧାନସଭା ସିଟ୍ ଥିବା ଦିଲ୍ଲୀରେ ୨୦୧୫ରେ ଆପ୍ ୬୭ଟି ସିଟ୍ ଜିତିଥିବା ବେଳେ ୨୦୨୦ରେ ୬୨ଟି ସିଟରେ ବିଜୟୀ ହୋଇଥିଲା । ପୂରା ଦିଲ୍ଲୀରେ ଆପର ସୁଦୃଢ ସଂଗଠନ ରହିଛି । ୨୦୨୦ରେ ୫୩.୫୭ପ୍ରତିଶତ ଭୋଟ୍ ସେୟାର ସହ ଜିତିଥିଲା ଆପ୍ । ଦିଲ୍ଲୀରେ ଆପର ବିଭିନ୍ନ ଫ୍ଲାଗସିପ୍ ଯୋଜନା ଲୋକପ୍ରିୟ ହୋଇଛି । ମାଗଣା ବିଜୁଳି ଓ ପିଇବା ପାଣି ହେଉ କି ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ, ମୋହଲ୍ଲା କ୍ଲିନିକ, ସାରା ଦେଶରେ ଆପର ଦିଲ୍ଲୀ ମଡେଲକୁ ନେଇ ଚର୍ଚ୍ଚା ହୋଇଛି । ବିରୋଧୀ ଏସବୁ ଜନକଲ୍ୟାଣକାରୀ ଯୋଜନାକୁ ସମାଲୋଚନା କରିଛନ୍ତି । ହେଲେ ବିଜେପି ହେଉ କି କଂଗ୍ରେସ, କ୍ଷମତାକୁ ଆସିଲେ ଏସବୁ ଯୋଜନା ଜାରି ରଖିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଅର୍ଥାତ କେଉଁଠି ନା କେଉଁଠି ଆପ୍ ମଡେଲରେ ମୋହର ଲଗାଇଛନ୍ତି ବିରୋଧୀ । ଆପ ସରକାରରେ ଦିଲ୍ଲୀବାସୀ ମାସକୁ ୨୪୬୪ଟଙ୍କା ସଞ୍ଚୟ କରୁଥିବା ଦଳ ଦାବି କରୁଛି । ଆପ୍ ନେତ୍ରୀ ଜସ୍ମିନ ଶାହାଙ୍କ ଦ୍ବାରା ଲିଖିତ ଦି ଦିଲ୍ଲୀ ମଡେଲ ବହିରେ ଏନେଇ ଦର୍ଶାଯାଇଛି। ଦିଲ୍ଲୀରେ କରାଯାଇଥିବା ସର୍ଭେରେ ୭୦ପ୍ରତିଶତ ଲୋକ ମାଗଣା ବିଜୁଳି, ପାଣି ଭଳି ଆପ ସରକାରର ବିଭିନ୍ନ ଯୋଜନା ଦ୍ବାରା ଏହି ଅର୍ଥ ବଞ୍ଚାଉଥିବା ବହିରେ ଲେଖାଯାଇଛି । ୪୦ଲକ୍ଷରୁ ଅଧିକ ପରିବାର ମାଗଣା ବିଜୁଳି, ପାଣି ଦ୍ବାରା ପ୍ରତିମାସ ଲାଭବାନ ହେଉଛନ୍ତି । ନୂଆ ରାସ୍ତା, ଫ୍ଲାଏଓଭର ନିର୍ମାଣ ସାଙ୍ଗକୁ ମହିଳାଙ୍କ ପାଇଁ ଫ୍ରି ବସସେବା ଦ୍ବାରା ଲୋକ ଉପକୃତ ହୋଇଛନ୍ତି । ଦିଲ୍ଲୀରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦଳର ସିଏମ୍ ଚେହେରା ହୋଇଥିବା ବେଳେ ବିଜେପି କିମ୍ବା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାକୁ ପ୍ରଦର୍ଶିତ କରାଯାଇନି। ଏହାକୁ ନିର୍ବାଚନ ପ୍ରଚାରରେ ବି ଜୋରଦାର ଦେଖାଉଛି ଆପ୍ । କେଜ୍ରିଓ୍ବାଲ ବନାମ କିଏ, ନେଇ ଦଳ ପକ୍ଷରୁ ପୋଷ୍ଟର ଲଗାଯାଉଛି । ସାରା ଦେଶରେ ଆମ ଆଦମୀ ପାର୍ଟି ଅଳ୍ପ ସମୟରେ ସବୁଠୁ ଅଧିକ ଲୋକପ୍ରିୟ ଦଳ ପାଲଟିଛି । ୨୦୨୨ରେ ପଞ୍ଜାବ ନିର୍ବାଚନ ଜିତିଥିବା ଆପର ଦେଶର ବିଭିନ୍ନ ରାଜ୍ୟରେ ଉପସ୍ଥିତି ରହିଛି । ୨୦୨୨ରେ ଦଳକୁ ଜାତୀୟ ଦଳର ମାନ୍ୟତା ମିଳିଥିଲା । ରେଓ୍ବଡି ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦିଲ୍ଲୀର ପ୍ରତି ପରିବାର ପାଖରେ ସିଧାସଳଖ ପହଞ୍ଚୁଛି ଆପ୍ । ତେଣୁ ଏହି ନିର୍ବାଚନ ବି ଆପ ର ସଫଳତାର ରାସ୍ତା ସଫା ରହିଛି ବୋଲି ଚର୍ଚ୍ଚା ହେଉଛି ।