ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବୃୟାରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ବଜେଟରେ କଣ ରହିବ ତାହାକୁ ନେଇ ଆରମ୍ଭ ଚର୍ଚ୍ଚା। ସଂସଦ ବଜେଟ ଅଧିବେଶନ ପାଇଁ ତାରିଖ ଘୋଷଣା ପରେ ତତ୍ପର ବିଜେଡ଼ି । ଦଳର ୭ ଜଣ ସାଂସଦଙ୍କ ଶୀତ ଅଧିବେଶନରେ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିବାବେଳେ ବଜେଟ ଅଧିବେଶନ ପାଇଁ ସାଂସଦମାନେ ସଜବାଜ ଆରମ୍ଭ କରିଛନ୍ତି । ରାଜ୍ୟର ସ୍ଵାର୍ଥ ସମ୍ମିଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ହକ ପାଇଁ ଲଢେଇ ହେବ ବୋଲି କହିଛି ବିଜେଡି । ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ କୋଇଲା ରୟାଲଟି ସଂଶୋଧନ ଭଳି ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବାକୁ ସାଂସଦମାନେ ତୟାର। ଖୁବଶୀଘ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ସଂସଦୀୟ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ୭ ସାଂସଦ, ଶାଣିତ ସ୍ବର। ରାଜ୍ୟ ସ୍ବାର୍ଥ ପାଇଁ ସଂସଦରେ ଆରପାର ହେବ ଲଢ଼େଇ। ବଜେଟ ଅଧିବେଶନ ଘୋଷଣା ପରେ ସଜବାଜ ବିଜେଡି। ସଂସଦୀୟ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି। ରାଜ୍ୟସଭାରେ ଶୀତ ଅଧିବେଶନରେ ଲୋକଙ୍କ ସ୍ବରକୁ ଶାଣିତ କରିଥିଲା ବିଜେଡ଼ି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଦଳର ୭ ସାଂସଦ ରାଜ୍ୟର ସ୍ଵାର୍ଥ ସମ୍ମିଳିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହକ ପାଇଁ ତାରକା, ଅଣତାରକା ପ୍ରଶ୍ନ ଜରିଆରେ ଓଡ଼ିଶାର ଦାବିକୁ ଉପସ୍ଥାପନ କରିଥିଲେ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, କୋଷ୍ଟାଲ ହାଇୱେ, ପୋଲାଭରମ ପ୍ରକଳ୍ପ, କୋଇଲା ରୟାଲଟି ସଂଶୋଧନ, ବରିଷ୍ଠ ନାଗରିକ କଲ୍ୟାଣ, କୋଇଲା ଖନନ, ଓଡ଼ିଶାରେ MSME, ଅଏଲ ରିଫାଇନାରି ଦୁର୍ଘଟଣା, ସମ୍ବିଧାନର ଅଷ୍ଟମ ଅନୁଛେଦରେ ହୋ, ମୁଣ୍ଡାରି, ଭୂମିଜ, କୁଇ, କୋଶଲୀ ଏବଂ ସଉରା ଭାଷାକୁ ସାମିଲ, ମହିଳାଙ୍କ ପାଇଁ ସ୍ଵୟଂଶାସିତ ସଂସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ, ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଏବଂ ଓଡ଼ିଶାକୁ ଗ୍ୟାସ୍ ପାଇପ୍ ଲାଇନ୍ ସଂଯୋଗ ପରି ଗୋଟିଏ ପରେ ଗୋଟିଏ ବଡ଼ ପ୍ରସଙ୍ଗ ଉଠାଇଥିଲେ। ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଏସବୁ ଦାବି ସହ ବିଜେଡି ସଂସଦୀୟ ବୈଠକରେ ଯେଉଁ ରଣନୀତି ପ୍ରସ୍ତୁତ କରାଯିବ ତାହାକୁ ଗୃହରେ ଉଠାଯିବ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି । ଶୀତ ଅଧିବେଶନ ପରି ବଜେଟ ଅଧିବେଶନରେ ମଧ୍ୟ ବିଜେଡ଼ି ଓଡ଼ିଶାବାସୀଙ୍କ ସ୍ବର ସାଜିବ। ଓଡ଼ିଶାର ଦୀର୍ଘଦିନର ଦାବି କେନ୍ଦ୍ର ଶୁଣୁନଥିବାରୁ ପୁଣିଥରେ ରାଜ୍ୟସଭାରେ ମୁଖ୍ୟ ପ୍ରସଙ୍ଗ ଉଠାଇ ସାଂସଦମାନେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ। ଗୃହରେ ସମସ୍ତ କାର୍ଯ୍ୟସୂଚୀରେ ସାମିଲ ହୋଇ ଓଡ଼ିଶାର ସ୍ବରକୁ ଶାଣିତ କରାଯିବ ବୋଲି ସାଂସଦ ମାନେ କହିଛନ୍ତି