ରାଜ୍ୟରେ ରୋଚକ ମୋଡ ନେବାରେ ଲାଗିଛି ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା । ରାଜନୈତିକ ବାକ ଯୁଦ୍ଧ ଭିତରେ ଜୁଝି ହେଉଛନ୍ତି ଦୀପାଳି ଦାସ । ଯାହା ବି କଲେ ସମାଲୋଚନାରୁ ବର୍ତ୍ତୁ ନାହାନ୍ତି ଏହି ପୂର୍ବ ବିଧାୟିକା । ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶାସକ ଦଳର ସାଂସଦ ପ୍ରଦୀପ ପୁରୋହିତ । ନବଙ୍କ ହତ୍ୟା କେବଳ ଗୋପାଳ ଦାସ କରିନାହାନ୍ତି, ବରଂ ଏହା ପଛରେ ଏକ ବଡ ଷଡଷନ୍ତ୍ରକାରୀ ଗୋଷ୍ଠୀ ରହିଛି । ନବୀନ ପଟ୍ଟନାୟକଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସେ ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ଏବେ ତାହା ପ୍ରମାଣିତ ହେବାକୁ ଯାଉଛି ବୋଲି ପ୍ରଦୀପ କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ଭିଡିଓ ପ୍ରତିକ୍ରିୟାରେ ପ୍ରଦୀପ କହିଛନ୍ତି,‘‘ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ, ସିଏ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି । ଦୁର୍ଭାଗ୍ୟର ବିଷୟ ସେ ସମୟରେ ନବ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ନୀରବ ରହିଲେ । କ୍ଷମତା ଓ ସମ୍ପତ୍ତି ଲୋଭରେ ତଦନ୍ତ ଠିକ୍ ହେଉଥିବା କହିଥିଲେ । ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି, ତେବେ ଓଡ଼ିଶା ସରକାରଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରନ୍ତୁ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବାର ଆବଶ୍ୟକ ରହିଛି ଏବଂ ପରଦା ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର ଅଛି ।’’ ସେପଟେ ପ୍ରଦୀପଙ୍କ ଏପରି ବିସ୍ଫୋରକ ବୟାନ ପରେ ବିରୋଧୀ ବିଜେଡି କ୍ୟାମ୍ପରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, ‘‘ ବିଜେପି ନିର୍ବାଚନ ପୂର୍ବରୁ କହିଥିଲା ଯେ ଆମେ ସରକାରରେ ଆସିଲେ ସବୁ ହତ୍ୟାକାଣ୍ଡର ‘ସିବିଆଇ’ ତଦନ୍ତ କରି ଦୋଷୀଙ୍କୁ ଜେଲ ପଠାଇବୁ । ହେଲେ ସରକାର ଆସିବାକୁ ସାତ ମାସ ବିତିଲାଣି । ଖାଲି କହୁଛନ୍ତି ତଦନ୍ତ କରିବୁ । କରୁନାହାନ୍ତି, କି’ଏ ମନା କରୁଛି ତାଙ୍କୁ । ତାଙ୍କର ଡ଼ବଲ ଇଞ୍ଜିନ୍ ସରକାର ସେ ତଦନ୍ତ କରନ୍ତୁ । କେବଳ ଅଭିଯୋଗ କଲେ କଣ ହେବ । ନିର୍ବାଚନ ବେଳେ ତ ନବ ଦାସଙ୍କ କେସଠୁ ଅନ୍ୟ କେସ ଗୁଡିକରେ ତଦନ୍ତ କରିବା ପାଇଁ ବିଜେପି କହିଥିଲା । ଏବେ କାହିଁକି ଲେଖିକି ଦେବା କଥା କହୁଛନ୍ତି । ନିଜ ଆଡୁ ସିବିଆଇ ତଦନ୍ତ କରାନ୍ତୁ କହିଛି ଦଳ। ’’