ଆସନ୍ତା ଫେବୃଆରୀ 7 ତାରିଖରେ ବଡପରଦା କୁ ଆସୁଛି ଓଡ଼ିଆ ସିନେମା ସନାତନୀ। ଏନେଇ ଏହାର ଟ୍ରେଲର ଓ ପୋଷ୍ଟର ରିଲିଜ୍ ସହ ତାରିଖ ଘୋଷଣା ହୋଇଛି । ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ତିଆରି ହୋଇଛି ଏହି ସିନେମା । ଏହି ଚଳଚିତ୍ରରେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼। ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି। ଗୀତ ରଚନା ଡା. ନିର୍ମଳ ନାୟକ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍। ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ। କିନ୍ତୁ ତାକୁ ସକରାତ୍ମକ ଭାବେ ଉପସ୍ଥାପିତ କରାଯିବ, ଯେପରି କାହାକୁ ଆଘାତ ପହଞ୍ଚିବ ନାହିଁ । ଏହି ଫିଲ୍ମରେ ଏପରିକି କୌଣସି ଧର୍ମକୁ ବି ଆକ୍ଷେପ କରାଯାଇନାହିଁ । ଏଥିରେ ଓଲିଉଡ୍ର ଆଗଧାଡ଼ିର ନାୟକ ସମ୍ବିତଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ ସିନେ ପ୍ରେମୀ ଦର୍ଶକ। ଏବଂ ତାଙ୍କ ବିପକ୍ଷରେ ନାୟ ନାୟିକା ସାଜିଛନ୍ତି ଆର୍ଲିନ୍ ଅଙ୍କିତା। ସମ୍ବିତ- ଆର୍ଲିନ୍ଙ୍କ ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍ଲୁ ଅଭିନୟ କରୁଛନ୍ତି। ଫିଲ୍ମଟି ବର୍ଷେ ପୂର୍ବରୁ ମେକିଙ୍ଗ ସାରିଥିଲା ବେଳେ କିଛି ସେନ୍ସର ବୋର୍ଡ ଅନୁମତି ଇସୁ ଥିବାରୁ ଫିଲ୍ମଟି ମୁକ୍ତିଲାଭ କରିପାରିନଥିଲା ।