ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୧୪ ବର୍ଷରେ ପାଦ ଥାପିଛି କମିଶନରେଟ୍ ପୁଲିସ । ଗତ କାଲି କମିଶନରେଟ୍ ପୁଲିସ ପାଳନ କରିଛି ନିଜର ପ୍ରତିଷ୍ଠା ଦିବସ । ତେବେ ଏହି ଅବସରରେ କରୋନା ସମୟରେ ପୁଲିସମାନଙ୍କ ଧୈର୍ଯ୍ୟ, ସାହାସ ଓ ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କୁ ସମ୍ମାନିତ କରାଯାଇଛି । ତେବେ ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀଙ୍କୁ ଶ୍ରେଷ୍ଠ କୋଭିଡ୍ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । କରୋନା ସମୟରେ ତାଙ୍କ ନିଷ୍ଠାପର, ଦକ୍ଷତା ସମ୍ପନ୍ନ କାର୍ଯ୍ୟ ତାଙ୍କୁ ଏହି ସମ୍ମାନର ଅଧିକାରୀ କରାଇପାରିଛି ।
ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ୨୦୨୦ ବର୍ଷର ଅଭିଜ୍ଞତା ଓ ୨୦୨୧ ବର୍ଷର ଲକ୍ଷ୍ୟ ନେଇ କମିଶନରେଟ ପୁଲିସ ନିଜର କାର୍ଯ୍ୟ କରିବ । କରୋନା ମହାମାରୀ ସମୟରେ ଲକଡାଉନ୍, ସଟଡାଉନ୍ ଲାଗୁ ହୋଇଥିବା ବେଳେ ପରିବାର ଛାଡ଼ି ପୋଲିସ କର୍ମଚାରୀ ଥିଲେ ରାସ୍ତାରେ । ଖରାବର୍ଷାକୁ ଖାତିର୍ ନକରି ଲୋକଙ୍କୁ ପୋଲିସ ସେବା ଯୋଗାଇଥିଲା । ସହାନୁଭୂତି ଓ ସମ୍ବେଦନଶୀଳତାର ସହ କାମ କରୁଛି କମିଶନରେଟ୍ ପୋଲିସ । କରୋନାରେ କମିଶନରେଟ୍ ପୋଲିସର ୭ ଜଣ ଯୋଦ୍ଧା ସହିଦ ହୋଇଥିବା ସିପି ସୂଚନା ଦେଇଛନ୍ତି । କରୋନା ସମୟ କମିଶନରେଟ୍ ପାଇଁ କେତେ କଷ୍ଟଦାୟକ ଥିଲା କହିଛନ୍ତି ସିପି । ଗୋଟିଏ ଥାନାର ୩୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଏକାସାଙ୍ଗରେ ୨୮ ଜଣଙ୍କୁ କରୋନା ହୋଇଥିଲା । ବାକି ୭ ଜଣ କର୍ମଚାରୀ ଧୈର୍ଯ୍ୟ, ସାହାସର ସହ ଥାନାକୁ ଖୋଲା ରଖିବା ସହ ଜନସାଧାରଣଙ୍କୁ ସେବା ଯୋଗାଇଥିଲେ । କେହି କର୍ମଚାରୀ ଘରକୁ ଯାଇନଥିଲେ । ଏଥିପାଇଁ ପୋଲିସ କମିଶନର ଶ୍ରୀ ଷଡ଼ଙ୍ଗୀ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଟ୍ୱିନ୍ ସିଟିବାସୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।
ମହାମାରୀ ସମୟରେ ପୋଲିସ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି ପାଇଥିବା କହିଛନ୍ତି ପୋଲିସ କମିଶନର । ପୂର୍ବଭଳି ଆଗକୁ ମଧ୍ୟ ଟ୍ୱିନ୍ ସିଟିବାସୀଙ୍କ ସହଯୋଗରେ କମିଶନରେଟ୍ ପୋଲିସ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବ ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।