ବିଧାୟକଙ୍କ ଉଗ୍ର ରୂପ। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଏମିତି ରୂପ ଦେଖି ଚିନ୍ତାରେ ଅଞ୍ଚଳ ବାସୀ। ଆମେ କହୁଛୁ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ କଥା। ଦିନକୁ ଦିନ ଆହୁରି ଉଗ୍ର ହେଉଛନ୍ତି ଶ୍ରୀ ପ୍ରଧାନ।ପ୍ରଥମେ ତ ଆକ୍ସନ କଥା କହୁଥିଲେ ଏବେ ପୁରା ଫିଲ୍ମ ଷ୍ଟାଇଲ ରେ ମାଡ଼ ବି ମାରିଲେଣି। ଏକଥା ଆମେ କହୁନୁ ବରଂ ଏକ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ କହୁଛି ।
ଅବସର ଥିଲା ପୁଷ୍ୟାଭିଷେକ ପୂର୍ବରୁ ନିଶ୍ଚିତକୋଇଲି ବ୍ଲକ୍ ନେମାଳ ସ୍ଥିତ ଅଚ୍ୟୁତାନନ୍ଦ ପୀଠର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ। ଯୋଗଦେଇଥିଲେ ମାନ୍ୟବର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଉ ମନ୍ତ୍ରୀଙ୍କ ସାମ୍ନାରେ ନିଜ ଦବଦବା ଜାହିର କରିଥିଲେ ବିଧାୟକ ଶାରଦା ପ୍ରଧାନ। କୌଣସି କାରଣରୁ, କଟକ ସଦର ବିଧାୟକଙ୍କ PSO ଓ ଜଣେ ବିଜେପି କର୍ମୀଙ୍କୁ ଠେଲା ପକାଇବା ସହିତ ମାଡ଼ ମାରିବାକୁ ଆଗେଇ ଆସିଥିଲେ ଜନତାଙ୍କ ଏହି ଜନ ପ୍ରତିନିଧି।ତେବେ କେଉଁଥି ପାଇଁ ଏମିତି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିଧାୟକଙ୍କ ଏହି ଦବଙ୍ଗ ଗିରି ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଜନ ପ୍ରତିନିଧିଙ୍କ ବ୍ୟକ୍ତିଗତ ସହାୟକ ଓ ସାଧାରଣ ଦଳୀୟ କର୍ମୀଙ୍କ ଉପରେ ଏମିତି ଆକ୍ରମଣ ଆଗାମୀ ସମୟରେ ମାହାଙ୍ଗା ବିଧାୟକଙ୍କୁ ମହଙ୍ଗା ପଡ଼ିପାରେ। ତେବେ ଦେଖିବାକୁ ବାକି ରହିଲା, ମାହାଙ୍ଗା ବିଧାୟକଙ୍କ ଏପରି ସିଧା ଟାର୍ଗେଟ ପଛରେ କଣ ରହିଛି କାରଣ? ଯେଉଁଥି ପାଇଁ ଏମିତି ରାଗି ଯାଇଥିଲେ ସାରଦା ପ୍ରଧାନ ?