ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ ୧୦୦ ମାର୍କ ପରିବର୍ତ୍ତେ ୮୦ ମାର୍କର ପରୀକ୍ଷା ଦେବେ ମ୍ୟାଟ୍ରିକ ପରୀକ୍ଷାର୍ଥୀ। ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବେ ଛାତ୍ରଛାତ୍ରୀ । ତେବେ ଏଥି ମଧ୍ୟରୁ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ। କିନ୍ତୁ ପରୀକ୍ଷାଫଳ ପ୍ରକାଶ କରାଯିବା ସମୟରେ ୧୦୦ ମାର୍କରୁ ହିଁ କରାଯିବ । ପ୍ରତି ଛାତ୍ରଛାତ୍ରୀଙ୍କୁ ୨୦ ନମ୍ଵର ଗ୍ରେସ ମାର୍କ ଦିଆଯିବ । ଏହାସହ ବିଦ୍ୟାଳୟ ଓ ଯୁକ୍ତ୨ କଲେଜ ହଷ୍ଟେଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଗତକାଲି ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ସ୍କୁଲ ଯିବେ। ଆସନ୍ତା ମେ’ ମାସରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡିଦେଲେ ଅନ୍ୟ ପିଲାମାନେ ଅନଲାଇନରେ ହିଁ ପାଠ ପଢିବେ ବୋଲି ସୂଚନା ରହିଛି।