ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଶେଷକୃତ୍ୟକୁ ନେଇ ବଢୁଛି ରାଜନୀତି । ଦିଲ୍ଲୀର ନିଗମଘାଟରେ ଡ. ସିଂଙ୍କ ଶେଷକୃତ୍ୟ କରିବାକୁ ନେଇ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ଏପରି କରି ମୋଦୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିଛନ୍ତି ।
ତାଙ୍କ ଅନ୍ତିମ ସଂସ୍କାର ସ୍ଥଳ ଓ ସ୍ମାରକୀ ସ୍ଥଳକୁ ନେଇ ରାଜନୀତି ଜୋର ଧରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନିଗମବୋଧ ଘାଟରେ କରି କେନ୍ଦ୍ର ସରକାର ତାଙ୍କୁ ଅପମାନିତ କରିଛନ୍ତି ବୋଲି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।
ଏହାସହ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଭାରତ ମାତାଙ୍କ ମହାନ ପୁତ୍ର ତଥା ଶିଖ୍ ସମ୍ପ୍ରଦାୟର ପ୍ରଥମ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ବର୍ତ୍ତମାନର ସରକାର ନିଗମବୋଧ ଘାଟରେ କରିଛନ୍ତି । ସେ ଏକ ଦଶନ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କ ସମୟରେ ଦେଶ ଏକ ଅର୍ଥନୈତିକ ମହାଶକ୍ତି ହୋଇଥିଲା ଏବଂ ତାଙ୍କ ନୀତି ଦେଶର ଗରିବ ଏବଂ ପଛୁଆ ବର୍ଗକୁ ସମର୍ଥନ ଜାରି ରଖିଥିଲା ।
ଆଜି ପର୍ଯ୍ୟନ୍ତ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମର୍ଯ୍ୟାଦାକୁ ସମ୍ମାନ ଜଣାଇ ସେମାନଙ୍କ ଅନ୍ତିମ ସଂସ୍କାର ଅଧିକାରପ୍ରାପ୍ତ ସମାଧିସ୍ଥଳରେ କରାଯାଇଥିଲା, ଯାହାଦ୍ୱାରା ଲୋକମାନେ ବିନା କୌଣସି ଅସୁବିଧାରେ ଶେଷ ଦର୍ଶନ କରିପାରିବେ । ମନମୋହନ ସିଂହ ଆମର ସର୍ବୋଚ୍ଚ ସମ୍ମାନ (ଭାରତ ରତ୍ନ) ଏବଂ ସମାଧି ସ୍ଥଳର ଯୋଗ୍ୟ । ଦେଶର ଏହି ମହାନ ସନ୍ତାନ ଓ ତାଙ୍କ ଗର୍ବିତ ଦେଶ ପ୍ରତି ସରକାର ସମ୍ମାନ ପ୍ରଦର୍ଶନ କରିବା ଉଚିତ । ଏହିଭଳି କହି ଲୋକସଭାରେ ବର୍ଷିଛନ୍ତି ରହୁଲ ।
ସେପଟେ ରାହୁଲଙ୍କ ଆରୋପର ଜବାବ ଦେଇଛି ବିଜେପି । ଏନେଇ ବିଜେପି ମୁଖପାତ୍ର ତଥା ପୁରୀ ସାଂସଦ ଡ. ସଂବିତ ପାତ୍ର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସିଂଙ୍କ ପରି ଜଣେ ସର୍ବମାନ୍ୟ ନେତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ରାଜନୀତି କରିବା ବେଶ ଦୁର୍ଭାଗ୍ୟଜନକ । ଡ. ସିଂଙ୍କ ପାଇଁ ଏକ ସ୍ମୃତିସ୍ଥଳ ପ୍ରତିଷ୍ଠା କରିବାକୁ ସରକାର ମଧ୍ୟ ସହମତ । କିନ୍ତୁ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି ଓ ତାହା କରିବାକୁ ସମୟ ଲାଗିବ । କିନ୍ତୁ ଶେଷକୃତ୍ୟ ତାହାକୁ ଅପେକ୍ଷା କରିବ ନାହିଁ । ଏଣୁ ଶେଷକୃତ୍ୟ ନିଗମବୋଧ ଘାଟରେ କରାଯାଇଥିଲା । ଏ ସଂପର୍କରେ କଂଗ୍ରେସକୁ ପତ୍ର ଲେଖି ସରକାର ଜଣାଇଥିଲେ । ଏହା ସତ୍ତ୍ବେ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଯେ ଡ. ସିଂ ପ୍ରଧାନମନ୍ତ୍ରୀ ଥିବାବେଳେ ରାହୁଲ ଗାନ୍ଧି ତାଙ୍କର ବାରମ୍ବାର ଅପମାନ କରୁଥିଲେ । କ୍ୟାବିନେଟର ନିଷ୍ପତ୍ତି ଚିରି ଦେଇଥିଲେ । ସରକାରରେ ସୋନିଆଙ୍କ ନେତୃ୍ତ୍ବରେ ଥିବା ଜାତୀୟ ପରାମର୍ଶଦାତା ପରିଷଦର ହସ୍ତକ୍ଷେପ ମନମୋହନଙ୍କୁ ଦୁଃଖ ଦେଉଥିଲା । ଏଣୁ ସେ ଇସ୍ତଫା ଦେବାକୁ ବି ବିଚାର କରୁଥିଲେ ବୋଲି କେତେକ ପୁସ୍ତକରେ ଉଲ୍ଲେଖ ରହିଛି ।